Unknown

 

 

 

 

 

 

 

 

 

କଳ୍ପନା କୁଞ୍ଜେ

ଶ୍ରୀ ବିଶ୍ୱନାଥ କର

 

ଗୋଟିଏ ମିନିଟ୍–

 

ଯୌବନର ପ୍ରାକ୍‍କାଳରେ ବର୍ଷଯାବତ୍‍ ବିରହ-ବିଧୁର ଜୀବନ ଯାପନ କରିବା ଥିଲାମୋର ଭାଗ୍ୟଲିପି । ତାହା ସତେ ଯେପରି ଥିଲା ଦୁର୍ନିବାର, ଅଲଂଘ୍ୟ ଓ ଅବଶ୍ୟପାଳନୀୟ । ସେହି ଦୁଃଖ ଲାଘବ କରିବା ଲାଗି କଳ୍ପନା ବଳରେ ପ୍ରିୟାର ମଧୁର ସ୍ମୃତିକୁ ପାଥେୟ କରି ରଚନା କଲି କେତେକ କବିତା ।

 

ମୋର ପ୍ରଥମ ରଚନା ବିରହ-ବାନ୍ଧବୀ (୧୯୫୨)ରେ ପ୍ରକାଶିତ ‘କଳ୍ପନା ସୁନ୍ଦରୀ’ ‘ମାନଭଞ୍ଜନ’ ‘ପ୍ରଣୟପାଗଳ’ ‘ରଜପରବେ’ ‘ସପନ ସୁନ୍ଦରୀ’ ‘କୁହୁକିନୀ’ ସାମାନ୍ୟ ପରିବର୍ତ୍ତନ ସହ ଏଥିରେ ସନ୍ନିବେଶିତ । ‘ନିବେଦନ’ ‘ବସନ୍ତ ଆଗମେ’ ଓ ‘ବିରହୀର ସଂସାର’ର ଚିନ୍ତାଧାରା କେତେକାଂଶରେ ସମାନ ହେଲେ ହେଁ ଭାଷା ଓ ଛନ୍ଦ ସଂପୂର୍ଣ୍ଣ ପୃଥକ୍‍ । ‘ମେଘାଲୋକ’‘ ଯକ୍ଷ ଆରେ ମୁଁ ଯକ୍ଷ’ ‘କଳ୍ପନାକୁଞ୍ଜେ’ ଓ ‘ସପ୍ତ-ସ୍ମୃତି’ ନୂତନ ରୂପେ ରଚିତ ।

 

ଆଶା ! ସହୃଦୟ ପାଠକ ପାଠିକା ଏହାକୁ ପାଠ କରି କ୍ଷଣିକ ଆନନ୍ଦ ଉପଲବ୍‍ଧ କରିବେ ।

 

ଏ ପ୍ରସଙ୍ଗରେ ପ୍ରସିଦ୍ଧ ଇଂରାଜୀ କବି P.B. Shelleyଙ୍କ ରଚିତ ‘‘To a Skylark’’ ଶୀର୍ଷକ କବିତାରେ ଅଷ୍ଟାଦଶ ପଦ ମୋର ମନେ ପଡ଼େ ।

 

‘‘We look before and after

And pine for what is not

Our sincerest laughter

With some pain is fraught;

Our sweetest songs are those

That tell of saddest thought.’’

 

ବିନୟାବନତ

ଦରଦୀ କବି

Image

 

ପ୍ରତ୍ୟର୍ପଣ

ବର୍ଷ ଅବଧି ବିରହ ଯାହାର

ହୃଦୟ-ମରୁରେ ମମ,

ଛୁଟାଇ ପାରିଲା କବିତା-ଉତ୍ସ

‘‘ଓୟେସିସ୍‍’’ ଧାରା ସମ;

ସେହି ମୋର ଅଳସକନ୍ୟା,

ସେ ଯେ ମୋ ପ୍ରଣୟ-ବନ୍ୟା;

ପଦଚାଳନେ ଯା’ ବିକଶେ ସ୍ୱର୍ଣ୍ଣ-ପଦ୍ମ,

ବିଶ୍ୱେ ସକଳ ସୁଷମାର ସେ ଯେ ସଦ୍ମ;

ସ୍ନିଗ୍‍ଧ-ମଧୁର କଳ୍ପନା ଯା’ର

ମୁଗ୍‍ଧ-ମାନସେ ମୋର,

ଫୁଟାଇଲା ଭାଷା ମୁକ ଲେଖନୀରେ

ତୁଟାଇ ଦୁଃଖ ଘୋର;

ଯାହାର ଅଙ୍ଗ ସଙ୍ଗ,

ଚିନ୍ତା ମୋ କରେ ଭଙ୍ଗ;

ସେହି ପ୍ରିୟତମା ପତ୍ନୀ ‘‘କମଳା’’ କରେ,

ଅର୍ପିଲି ଏହି ପୁସ୍ତିକା ସ୍ନେହ ଭରେ ।।

ଗୁଣମୁଗ୍‍ଧ,‘‘ଦରଦୀ’’

Image

 

ସୂଚୀପତ୍ର

 

୧.

ନିବେଦନ

୨.

ବସନ୍ତ ଆଗମେ

୩.

କଳ୍ପନା ସୁନ୍ଦରୀ

୪.

ମାନଭଞ୍ଜନ

୫.

ପ୍ରଣୟ- ପାଗଳ

୬.

ରଜପରବେ

୭.

ବିରହୀର ସଂସାର

୮.

ମେଘାଲୋକେ

୯.

ସପନ ସୁନ୍ଦରୀ

୧୦.

କୁହୁକିନୀ

୧୧.

ଯକ୍ଷ ଆରେ ମୁଁ ଯକ୍ଷ

୧୨.

କଳ୍ପନା କୁଞ୍ଜେ

୧୩.

ସପ୍ତ ସ୍ମୃତି

Image

 

ସମ୍ବେଦନା

 

ହୃଦୟତୃଣକୁଟୀରେ ଦହ୍ୟମାନେ ସ୍ମରାଗ୍ନୌ

ଉଚିତମନୁଚିତଂ ବା ବେତ୍ତି କଃ ପଣ୍ଡିତୋଽପି ।।

(ଦ୍ୱାନ୍ତ୍ରିଂଶତ୍‍ପୁତ୍ତଳିକା–କାଳିଦାସ)

 

ହା ହା ଦେବି ! ସ୍ଫୁଟିତ ହୃଦୟଂ ସଂସତେ ଦେହବନ୍ଧଃ

ଶୂନ୍ୟଂ ମନ୍ୟେ ଜଗଦବିରତ ଜ୍ୱାଳମନ୍ତର୍ଜ୍ୱଳାମି ।

ସୀଦନ୍ନନ୍ଧେ ତମସିବିଧୁରେ ମଜ୍ଜତୀବାନ୍ତରାତ୍ମା

ବିଷ୍ୱଙ୍‍-ମୋହଃ ସ୍ଥଗୟତି କଥଂ ମନ୍ଦଭାଗ୍ୟଃ କରୋମି ।।

(ଉତ୍ତରରାମଚରିତ–ଭବଭୂତି)

 

ପ୍ରିୟପରିରମ୍ଭଣରଭସବଳିତମିବ ପୁଲକିତମତିଦୁରବାପମ୍‍

ମଦୁରସି କୁଚକଳସଂ ବିନିବେଶୟ ଶୋଷୟ ମନସିଜତାପମ୍‍ ।

ଅଧରସୁଧାରସମୁପନୟ ଭାମିନି ! ଜୀବୟ ମୃତମିବ ଦାସମ୍‍

ତ୍ୱୟି ବିନିହତମନସଂ ବିରହାନଳଦଗ୍‍ଧବପୁଷମବିଳାସମ୍‍ ।।

(ଗୀତଗୋବିନ୍ଦ–ଜୟଦେବ)

 

ରାଜାକୁ ହେବାର ରାଜ୍ୟଭ୍ରଷ୍ଟ

ଯୁବାକୁ ହେବାର ପତ୍ନୀକଷ୍ଟ

ମୋଲେ ଉପଇନ୍ଦ୍ର ଭଞ୍ଜବୀରବର

ଏଥୁଁ ବଳି ଆଉ ନାହିଁ କଷ୍ଟ ।

(ରସିକହାରାବଳୀ–ଉପେନ୍ଦ୍ର ଭଞ୍ଜ)

 

ମଧୁର ମଧୁର ମେରେ ଦୀପକ ଜଲ,

ଯୁଗ ଯୁଗ, ପ୍ରତିଦିନ, ପ୍ରତିକ୍ଷଣ, ପ୍ରତିପଲ,

ପ୍ରିୟତମକା ପଥ ଆଲୋକିତ କର ।

(ପ୍ରତୀକ୍ଷା–ମହାଦେବୀ ବର୍ମା)

 

ସାରା ନିଶି ଧରେ ତାରାୟ ତାରାୟ,

ଅନିମେଷ ଚୋଖେ ନୀରବେ ଦାଁଡ଼ାୟ,

ପଲ୍ଲବଦଲେ ଶ୍ରାବଣ ଧାରାୟ,

ତୋମାର ବିରହ ବାଜେ ଗୋ ।।

(ଗୀତାଞ୍ଜଳି–ରବୀନ୍ଦ୍ରନାଥ ଠାକୁର)

 

Sweet to the miser are his glittering heaps,

Sweet to the father is his first born’s birth,

But sweet still than this

Than these, than all,

 

Is first and passionate love–

It stands alone.

(Lord Byron)

Image

 

କାହାଣୀ ନୁହେଁ

 

ମାଘ ଶୁକ୍ଳ ଏକାଦଶୀର ଜ୍ୟୋସ୍ନାବିଧୌତ ସନ୍ଧ୍ୟାରେ ଏକ ହତଭାଗ୍ୟ ଶିଶୁ ଜନନୀର କୁକ୍ଷିଗତ ଅନ୍ଧକାର ଭେଦ କରି ମର୍ତ୍ତ୍ୟଭୂମି ସ୍ପର୍ଶ କରେ । ପରିବାରର ସମସ୍ତଙ୍କ ପକ୍ଷରେ ସେ ଏକ ହର୍ଷମୁଖର ସନ୍ଧ୍ୟା । ଜନକ, ଜନନୀ, ଜେଜେ ଓ ଜେଜେ ମାଆଙ୍କ ଗହଣରେ ଶୈଶବ ବେଶ୍‍ ଆନନ୍ଦରେ କଟେ । ଆଠବର୍ଷ ବୟସରେ ଜେଜେବାପାଙ୍କ ମୃତ୍ୟୁପରେ ଆରମ୍ଭ ହୁଏ ତା’ର ଦୁଃଖମୟ ଜୀବନ ।

୧-୨-୧୯୪୯– ତା’ର ଦାମ୍ପତ୍ୟଜୀବନର ଆରମ୍ଭ ଦିବସ । ପ୍ରାୟ ତିନୋଟି ବର୍ଷର ମଧୁମୟ ଜୀବନ ପରେ ଦେଖା ଦିଏ ଦୁର୍ବାର ବିରହର ଘନଛାୟା । ଧନଗର୍ବିଣୀ ନିଷ୍ଠୁର ଶାଶୁ ତାକୁ ଗୃହଜାମାତାରୂପେ ରହିବାକୁ ବାଧ୍ୟ କରେ । ସ୍ୱାଧୀନଚେତା ଯୁବକ ସେଥିରେ ସମ୍ମତ ହୁଏ ନା । ଫଳରେ ଯୁବତୀ ପ୍ରିୟାର ପ୍ରଣୟରୁ ସେ ହୁଏ ବଞ୍ଚିତ; ଏ ପରିକି ରୋଗଶଯ୍ୟାଶାୟିନୀ ପ୍ରିୟାକୁ ଭେଟି ନ ପାରି ସେ ଫେରି ଆସିବାକୁ ବାଧ୍ୟ ହୁଏ ।

ଏକ ପକ୍ଷରେ ରୋଗଶଯ୍ୟାଶାୟିନୀ ଯୁବତୀ ପ୍ରିୟାର କରୁଣ ବିଳାପ ଓ ଅନ୍ୟ ପକ୍ଷରେ ଧନଗର୍ବିଣୀର ମର୍ମବିଦାରକ ଭାଷା ‘‘ତୁମେ ତା’କୁ ଦେଖି ପାରିବ ନାହିଁ–ଯୁବକର ଚିତ୍ତକୁ ଆଲୋଡ଼ନ କରେ । ସେଥିରୁ ରକ୍ଷା ପାଇବା ଲାଗି ସେ ବରିନିଏ ଦୁଇଟି ପନ୍ଥା–ହତ୍ୟା ନ ହେଲେ ଆତ୍ମହତ୍ୟା !

୨୩-୧୧-୧୯୫୧– ଜୀବନରେ ତାହା ଏକ ଶେଷ ନିଷ୍ପତ୍ତିର କାଳରାତ୍ରି । ଏକ ହସ୍ତରେ ଗୀତା ଓ ଅନ୍ୟ ହସ୍ତରେ ପୋଟାସିଅମ୍‍ ସାଏନାଇଡ୍‍ । ଗୀତାର ମର୍ମବାଣୀ–ଶରୀର ମର, କ୍ଷଣସ୍ଥାୟୀ କିନ୍ତୁ ଆତ୍ମା ଅମର, ଚିରନ୍ତନ,ଅବଧ୍ୟ । ତେବେ ତା’ର ଅମର ଆତ୍ମାକୁ ସେ ହତ୍ୟା କରିବ କିପରି ? ଠିକ୍‍ ସେହି ସମୟରେ, ସେହି ଦୁର୍ବଳ ମୁହୂର୍ତ୍ତରେ ତାର ଆଖି ଆଗରେ ଭାସି ଉଠେ ବାଲ୍ୟ ଗୁରୁଙ୍କର ଜ୍ୟୋତି । ମରଣୋନ୍ମଖୀ ଯୁବକ ହୁଏ ବିସ୍ମିତ, ଆତ୍ମହରା । ତେବେ କ’ଣ ଗୁରୁ ଚାହାନ୍ତି, ସେ ଦୁଃସହ ବିରହ ଯନ୍ତ୍ରଣା ସହି ବଞ୍ଚି ରହୁ ?

ବେଶ୍, ତାହାହିଁ ହେଉ । ଗୀତାକୁ ପ୍ରଣିପାତ କରି ସେ ବିଷକୁ ପରିତ୍ୟାଗ କରେ । ଗୁରୁଙ୍କ ପଦ ଚିନ୍ତନ କରି ତା’ର ପ୍ରଥମ କବିତା ସେ ରଚନା କରେ ‘‘ହୁଅ ଗୁରୋ! ମୋରେ ସାହା ।’’ ଅଳକାପତି କୁବେରର ଶାପରେ ଯକ୍ଷ ବର୍ଷକ ପାଇଁ ରାମଗିରି ପର୍ବତରେ ବିରହିବିଧୁର ଜୀବନ ଯାପନ କଲାଭଳି ସେହି ଯୁବକ ବର୍ଷଯାବତ୍‍ ବିରହ ଯାତନା ଭୋଗକରେ ଓ ତା’ର ହୃଦୟର ପ୍ରେମଫଲ୍‍ଗୁ କବିତାମାଧ୍ୟମରେ ପ୍ରବାହିତ ହୁଏ ।

ସେହି ଯକ୍ଷକଳ୍ପ ଯୁବକର ଦରଦଭରା ପ୍ରାଣର ଗଭୀର ବେଦନାରେ ପ୍ରତୀକ କଳ୍ପନାକୁଞ୍ଜ ରଚିତ ଏହି କବିତାପୁଞ୍ଜ ରସଗ୍ରାହୀ ପାଠକପାଠିକାମାନଙ୍କର ଅନ୍ତରକୁ କରୁଣରସରେ ରସାଣିତ କରୁ–ଏହାହିଁ ଐକାନ୍ତିକ କାମନା ।

ଦୋଳପୂର୍ଣ୍ଣମୀ

 

ବିନୟାବନତ

ତା ୧୪/୩/୬୮

‘ଦରଦୀ କବି’

 

Image

 

ନିବେଦନ

 

ହୁଅ ଗୁରୋ ! ମୋରେ ସାହା,

ଅନ୍ଧକାର ଏ ସଂସାରେ ମୋତେ

ଦେଖାଅ ମୁକ୍ତି-ରାହା ।

ତୁମ୍ଭ ବିହୁନେ ସିନା ଏ ବିଶ୍ୱେ

ଅନାଥ ହୋଇଛି ଆଜି,

ମନର ସକଳ ଦମ୍ଭ ମୋହର

ଅଚିରେ ଯାଇଛି ଭାଜି ।୧।

ଶୈଶବକାଳେ ତୁମ୍ଭ ଗହଣେ

ବିତାଉଥିଲି ମୁଁ ଦିନ,

ସ୍ୱର୍ଗବାସରେ ତୁମ୍ଭର ସିନା

ହୋଇଲି ମୁଁ ଦୀନହୀନ ।୨।

ଗତି କରେ ମୁଁ ଯେ ଦୁର୍ଦ୍ଦିନେ ଆଜି

ନାହିଁ ମୋର ସାହା କେହି,

ଦୁଃଖ ମୋହର ଚିର ସହଚର

ନିବେଦନ କରେ ଏହି ।୩।

ଭାଗ୍ୟଚକ୍ର ଘୂର୍ଣ୍ଣନ ଫଳେ

ନିନ୍ଦା ସତତ ସହେ,

ନବ ଯୌବନେ ବିରହ-ଦୁଃଖ

ଅନ୍ତର ମୋର ଦହେ ।୪।

ଏ ନକପାଳେ ଦୁଃଖ, ଦୈନ୍ୟ

ଚିରକାଳ ଲାଗି ଖଞ୍ଜା,

ଯୌବନର ମୋ ମଧୁ ବସନ୍ତେ

ବହେ ବୈଶାଖୀ ଝଞ୍ଜା ।୫।

ଶାନ୍ତା କାନ୍ତା ଅପ୍‌ସରା ସମ

ସଙ୍ଗିନୀ ମୋର ପାଇ,

ହର୍ଷ ପୁଲକେ ବଞ୍ଚିଲି କାଳ

ପ୍ରଣୟେ ହୋଇ ମୁଁ ବାଇ ।୬।

ହର୍ଷମୟ ସେ ପ୍ରଣୟସିକ୍ତ

ମଧୁର ଜୀବନ ପରେ,

ବାମ ହେଲା ବିହି ଲିହିଲା ବିରହ

ଯାତନା ମୋ କପାଳରେ ।୭।

ଯକ୍ଷ ସମ ମୁଁ ବର୍ଷକ ଲାଗି

ବିରହ ଦୁଃଖ ଭୋଗେ,

ଜର୍ଜରିତ ଏ ଅନ୍ତର ମୋର

ପ୍ରିୟାର ବିରହ ଯୋଗେ ।୮।

ତୁଟିଛି ମୋହର ପ୍ରେମ ବନ୍ଧନ

ଛୁଟିଛି ଦୀର୍ଘଶ୍ୱାସ,

ଲୁଟିଛି ଦଇବ ଶାନ୍ତି, ହର୍ଷ

ଉଠିଛି ମୋ ଉଚ୍ଛ୍ୱାସ ।୯।

ବିରୂପା ନଦୀର ଉଭୟ ପାର୍ଶ୍ୱେ

ଚକୋର ଚକୋରୀ ପ୍ରାୟ,

ବିଷାଦଗ୍ରସ୍ତ ଅନ୍ତରେ ଦୁହେଁ

ଯାପୁଁ ଦିବାନିଶି ହାୟ ! ।୧୦।

ସ୍ୱର୍ଗେ ରହିଣ ମୁହୂର୍ତ୍ତ ପାଇଁ

ମର୍ତ୍ତ୍ୟେ ଢାଳ ନା ଦୃଷ୍ଟି,

‘‘ବିଶି’’ ଯେ ତୁମର       ଅର୍ଦ୍ଧ ଦଗ୍‌ଧ

ବ୍ୟର୍ଥ ଦଇବ ସୃଷ୍ଟି ।୧୧।

ବାମକରେ ତାର ତୀବ୍ର ଗରଳ

ଦକ୍ଷିଣ କରେ ଗୀତା,

ମୃତ୍ୟୁ ତାହାର କାମ୍ୟ ଯେ ଆଜି

ଜୀବନ ମଣିଛି ପିତା ।୧୨।

ଜୀବନନାଟିକା ସ୍ପନ୍ଦନ ଆଉ

ଅଳ୍ପ ସମୟ ପରେ,

ସ୍ଥଗିତ ହେବ ହେ ସାନ୍ତ୍ୱନା ବାଣୀ

ଶୁଣାଅ ଆଗମି ଥରେ ।୧୩।

ବଞ୍ଚିବ ଅବା ତେଜିବ ପରାଣ

ନ ପାଏ ସେ କିଛି ରାହା,

ଅନ୍ଧାର ତାର ଚୌଦିଗ ଆଜି

ଦେଖାଅ ମୁକ୍ତି ରାହା ।୧୪।

Image

 

ବସନ୍ତ ଆଗମେ

 

ନବ ବସନ୍ତ ମର୍ତ୍ତ୍ୟେ ଆଗମେ ଆଜି,

ବିରହୀ ମୁଁ ହାୟ ! ଧୈର୍ଯ୍ୟ ମୋ ଯାଏ ଭାଜି ।

ହର୍ଷିତ ବୁକେ ଦର୍ପକ ଧରାପରେ,

ଦର୍ପ ଦେଖାଇ ସଜନି ! ଆସଇ ଖରେ,

ଦୀର୍ଘ ଦିବସ ରଜନୀ,

କହ କା’ ଗହଣେ ବିତାଇବି ମୁଁ ରେ ସଜନି ।୧।

ଭାଟରୂପେ ପିକ ପଞ୍ଚମ ତାନେ ଗାଏ,

ଗୁଞ୍ଜନ ଛଳେ ଅଳି ଆଜି ବୀଣା ବାଏ,

ଚମ୍ପା ଅଶୋକ ମଲ୍ଲୀ

ବଲୁଳ, କେତକୀ ପୁଷ୍ପେ ପୂରିତ ପଲ୍ଲୀ ।୨।

ଅଶେଷ ଶୋକ ସେ ଅଶୋକ କଳିକା ଦିଏ,

ବିରହୀ- ପରାଣୁଁ ହର୍ଷ ଛଡ଼ାଇ ନିଏ,

ଶୂନ୍ୟ ମୋ ଦଶଦିଶ

କା’ ଆଗେ କହିବି କିଏ ବା କରିବ କିସ ।୩।

ଚମ୍ପକ ମୋର ଚମ୍ପାଗୋରୀର ସ୍ମୃତି,

ମାନସେ ଜଣାଇ ଟଳାଏ ଚିତ୍ତ ଧୃତି,

ଅଳି ସମ ଥାଇ ଦୂରେ

ଚିନ୍ତନ କରେ କେବଳ ଚିତ୍ତ-ପୁରେ ।୪।

ଶୁଭ୍ରବରନା ମଲ୍ଲିକା ଆଜି ଫୁଟେ,

ଦର୍ଶନେ ମୋର ଅନ୍ତରେ କୋହ ଉଠେ,

ସଜନି ! ଗଭାରେ କା’ର

ଖଞ୍ଜିବି ଆଜି ମଲ୍ଲୀ କୁସୁମ ମାଳ ।୫।

ଗୁଞ୍ଜନରତ ଅଳି ତା’ର ପୁରୋଭାଗେ,

ଚାଟୁବାଣୀ କହି ଅଧୀରେ ପ୍ରଣୟ ମାଗେ,

କାହା ପାଶେ ଚାଟୁବାଣୀ

କହିବି ଆଜି ମୁଁ ଅନ୍ତର ହୁଏ ହାଣି ।୬।

ଦର୍ପକ ଫୁଲଧନୁର ତୀକ୍ଷ୍‌ଣ ଶର,

ସମ ଏ ଆମ୍ର ବକୁଳ ଆଣେ ଗୋ ଡର,

ଅନ୍ତରେ ପୀଡା ଆଣେ,

ଥରେ ମୋ ଚିତ୍ତ ଦର୍ଶନେ କାମ-ବାଣେ ।୭।

କଣ୍ଟକିତ ସେ ଦୁର୍ଗେ କେତକୀ ରହି,

କମ୍ପାଏ ମୋର ବିରହୀ-ପରାଣେ ସହି !

ଦର୍ଶନେ ତାର ଛବି,

ଯାପଇ ଦିବସ ଦୁଃଖ ମୁଁ ଅନୁଭବି ।୮।

ଅନ୍ଧ ସମାଜ ବନ୍ଧନମାନ ତେଜି,

ଧନଗର୍ବିଣୀ ସର୍ପିଣୀ କଥା ହେଜି,

ଭ୍ରମର ସମ ମୁଁ ହାୟ !

ନିରେଖି ତୋ ଶୋଭା ସତତ ଶୀର୍ଣ୍ଣକାୟ ।୯।

ମଳୟ ସମୀର ପ୍ରଳୟ ସୃଷ୍ଟି କରେ,

ଅନ୍ତର ମୋର ପରଶି ଯାଏ ଯା ଖରେ,

ତୋହର ଅଙ୍ଗ ସଙ୍ଗ

ବିନୁଁ ସଖି ! ମୋର ଶାନ୍ତି ହୋଇଛି ଭଙ୍ଗ ।୧୦।

ସରସୀରେ ଆଜି ପ୍ରପ୍ଫୁଟିତ ଗୋ ପଦ୍ମ,

ମର୍ତ୍ତ୍ୟର ସେ ଗୋ ସକଳ ଶୋଭାର ସଦ୍ମ,

ପଦ୍ମିନୀ ବାଳା ତୁହି

ତୋହର ବିହୁନେ ଅନ୍ଧ ହୋଇଛି ମୁହିଁ ।୧୧।

ତ୍ରାମବର୍ଣ୍ଣ ନବ ପଲ୍ଲବ ଶୋହେ,

ଦର୍ଶନେ କବି ଭାବୁକ ଚିତ୍ତ ମୋହେ,

କର-ପଲ୍ଲବ ତୋର

ସ୍ମରଣେ ଲଭେ ମୁଁ ସଜନି ! ଦୁଃଖ ଘୋର ।୧୨।

ରଙ୍ଗଣୀ ଫୁଲ ସମ ତୋ ଅଧର ଶୋଭା

ରକ୍ତିମ ଆହା ସୁନ୍ଦର ମନଲୋଭା

ମାନସ ପଟଳେ ଭାସେ

ହର୍ଷ ସକଳ ମାନସୁଁ ମୋହର ନାଶେ ।୧୩।

ଶିରୀଷାଙ୍ଗି ରେ ! ତୋହର କୋମଳ ତନୁ

ପାଶୋର ନ ଯିବ କେବେ ହେଁ ମୋହର ମନୁଁ

ଥିବ ସେ ପ୍ରଣୟ-ଡୋର

ଜୀବସଙ୍ଗିନି ! ଜୀବ ଥିବା ଯାଏ ମୋର ।୧୪।

Image

 

କଳ୍ପନା-ସୁନ୍ଦରୀ

 

ପୂର୍ଣ୍ଣ କର ଆଶା ସମ କାହିଁଛ ଗୋ କଳ୍ପନା-ସୁନ୍ଦରୀ,

ଦରଶନ ମାଗେ ତବ ଦୀନ କବି ନେତ୍ରେ ନୀର ଭରି;

ଆଗମିଲ ଏ ଧରାରେ ଅୟି ପ୍ରିୟତମା !

ଦରଦୀ କବିରେ ସତେ ଦେଇ ଗଲ କ୍ଷମା,

ଆସ ଗୋ ପରାଣ ସାଥୀ,

ଯିବା ନବ ହର୍ଷେ ମାତି;

ମୁକ୍ତ ନଭେ,

ସଗୌରବେ ।୧।

ଭୁଜେ ଭୁଜ ଦିଅ ଛନ୍ଦି ପ୍ରେମପାଶେ କର ଗୋ ବନ୍ଧନ,

ମଧୁମୟ ସ୍ପର୍ଶେ ତବ ଧନ୍ୟ ମଣେ ଆଜ ମୁଁ ଜୀବନ;

କିନ୍ତୁ ହାୟ ! ଗଲ କେଣେ ନ ପାରିଲି ଜାଣି;

ଆଶାସୌଧ କରି ଚୂର୍ଣ୍ଣ କାହିଁ ଗଲ ରାଣି !

ଚଉଦିଗ ଶୂନ୍ୟ ମଣେ,

ଶିଥିଳ ମୋ ତନୁ କ୍ଷଣେ;

ବାରେ ଆସ,

ମୋର ପାଶ ।୨।

ଉନ୍ମାଦ ମୁଁ ? ଶୂନ୍ୟ ପୁରେ ଦେଖେ ମୋର ମାନସୀ ମୂରତି

ଉଭା ମୋର ପୁରୋଭାଗେ ସ୍ମିତ ହାସେ ଆସଇ ମୋ କତି;

ନୟନ-ଅପାଙ୍ଗେ ମୋର କରି ବିଚଳିତ,

ହୃଦେ ହୃଦ ଛନ୍ଦିବାକୁ ଦିଅଇ ଇଙ୍ଗିତ,

ସମ୍ମୁଖ ମୋ ଶୂନ୍ୟ ଏବେ !

ପ୍ରିୟା ଅନ୍ତର୍ହିତା ତେବେ ?

ଏ କି ମାୟା !

ନୁହେ କାୟା !! ।୩।

ଏ କି ଶୁଣେ କର୍ଣ୍ଣ ମମ ଶୂନ୍ୟ ଗୃହେ ବଲ୍ଲକୀ-ନିକ୍ୱଣ,

ପ୍ରତେ ହୁଏ ସତେ ଅବା ମାନସୀର ମଧୁର ଗୁଞ୍ଜନ;

ଅଛି କି ମାନସପଟେ ଏ ଦୀ ପ୍ରାର୍ଥନା,

ମଣ୍ଡ ମୋର ଶୂନ୍ୟ ଅଙ୍କ ହେ ବରବରନା;

ଆଲିଙ୍ଗିଣ ଥରେ ମାତ୍ର,

ସାର୍ଥକ କରିବି ଗାତ୍ର;

ଆସ ହେଜି,

ବ୍ରୀଡ଼ା ତେଜି ।୪।

ଏହି ଯେ ସମ୍ମୁଖେ ସମ ମାନସୀ ଆସଇ ତଳି ଢଳି,

ସବୁଜିମା ଧରାପରେ ସେ କି ଅବା ପ୍ରସ୍ଫୁଟିତ କଳି;

ରକ୍ତିମ ଅଧରେ ତାର ସ୍ମିତ ହାସ ଫୁଟେ,

ନୟନ-ଅପାଙ୍ଗ ହାୟ ଚିତ୍ତ ମୋର ଲୁଟେ;

ବକ୍ଷେ ତା ଜଡ଼ାଇ ବକ୍ଷ,

ଲିହି ଗଣ୍ଡେ ଚୁମ୍ବ ଲକ୍ଷ;

ଦିବାରାତି,

ପ୍ରେମେ ମାତି ।୫।

ଶୂନ୍ୟ ଲାଗେ ବକ୍ଷ ମମ କାହିଁ ମୋର କଳ୍ପନା-ସୁନ୍ଦରୀ,

ନିଃଶେଷିବା ପୂର୍ବୁଁ ତାର ମୁଖୁଁ ମଧୁ ଗଲା ଅପସରି;

ହରିଛି ମୋ ସୁଖ-ସ୍ୱପ୍ନ ରୂକ୍ଷ ବାସ୍ତବତା,

ଦରଦୀ ପରାଣେ ମୋର ଦେଇ ଗୁରୁବ୍ୟଥା;

ନ ଲୋଡ଼େ ବାସ୍ତବ ରାଜ,

କଳ୍ପନାରେ ଗଢ଼େଁ ତାଜ;

ନିରୁପାୟ

ମୁଁ ଯେ ହାୟ ! ।୬।

Image

 

ମାନଭଞ୍ଜନ

 

ଅୟି ମାନମୟି !

କହି ମଧୁବାଣୀ

ତୁଟାଅ ମୋ ମନବ୍ୟଥା,

ଦହି ଦିଏ ପ୍ରାଣ

ସହି ରେ ! ଅନଙ୍ଗ

ବହି ମନେ ନିଷ୍ଠୁରତା

ରେ ଗୋରି !

ମହୀପରେ ଅଛି କେ ତୋ ସରି,

ରହି ମଉନେ ବୁହାଉ ବାରି ।୧।

ମୁଞ୍ଚି ମନୁଁ ମାନ

କୁଞ୍ଚିତକେଶା ରେ !

କହ ସୁଧାସିଞ୍ଚା ବାଣୀ,

ବଞ୍ଚିତ ନ କର

କିଞ୍ଚିତେ ତୋ ପ୍ରେମୁଁ

ଚଞ୍ଚଳାକ୍ଷୀ ଚନ୍ଦ୍ରାନନୀ,

ରେ ସହି !

ଘଞ୍ଚ କୁଞ୍ଚୁ ଦିଅ ବାସ ଫେଇ,

ପଞ୍ଚ ବାଣେ କାମ ଦିଏ ଦହି ।୨।

ତୋଳ ବାର ମଥା

ଷୋଳବୟସି ରେ !

ଭୋଳ ହୁଅ ପ୍ରେମେ ମୋର,

କୋଳାଗ୍ରତ କରି

ଦୋଳାଇ ମୋ ଅଙ୍କେ

ଚାଳିବି ଉରଜେ କର,

ରେ ଧନି !

ଗୋଳା ଚନ୍ଦନେ ଚିତ୍ରିବି ପୁଣି

ଡୋଳା ଟେକ ମୋ ଅଭିମାନିନୀ ।୩।

ପଙ୍କଜନୟନା

ମୋ ଅଙ୍କ ପଲଙ୍କେ

ଶଙ୍କା ତେଜି ବସ ତୁ ରେ !

ଶଙ୍କର-ଅଇରି

ଟଙ୍କାରଇ ବାଣ

ଢାଙ୍କି ରଖ ପୀନ ଉରେ,

ରେ ବାଳା !

ରଙ୍କରତନ ମୋ ଗଳାମାଳା,

ଡଙ୍କା ବାଜେ ଏ ଦୁନିଆସାରା ।୪।

ନାରୀରତନ ରେ !

ଘାରି ହୁଏ ଦୁଃଖେ

ପାରି କର ଲାଜ ତେଜି,

ଠାରି ନେତ୍ରେ ବାରେ

ତାରି ପାରୁ ହେଳେ

ଭାରି କଷଣ ମୋ ହେଳି,

ରେ ଧନ !

ଚାରି-ଚକ୍ଷୁ ମିଳନେ ମୋ ମନ,

ବାରି ନେତ୍ରୁଁ କରେ ବରଷଣ ।୫।

ଦେଖ ଗୋ ମାନିନି !

ପିକ କୁହୁ ତାନେ

ମୁଖରିତ ଚଉକତି,

ଦୁଃଖ ମୋର ହରି

ସୁଖ ତୁ ବିତରି

ରଖ ମୋ ନମ୍ର ବିନତି,

ରେ ଗୋରି !

ଦକ ମାନସୁଁ ହର ମୋହରି,

ଅକପଟ ଚିତ୍ତ ଯେ ତୋହରି ।୬।

Image

 

ପ୍ରଣୟ-ପାଗଳ

 

କାହୁଁ ଭାସି ଆସେ ମୋ ପ୍ରିୟାସ୍ୱର,

ଚାହୁଁ ଚାହୁଁ ଥରେ ମୋ କଳେବର,

ଝାଉଁଳିଛି ସଜକଞ୍ଜ ବଦନ,

ଧାଉଁଛି ଶିଖରେ ଡାକି ବହନ,

ଘାଉଁରେ ମୋହର ମଥା,

ଦାଉଁ ଦାଉଁ ପଡ଼େ ଦରଦୀ ଛାତି ମୋ

ସୁମରି ଅତୀତ କଥା ।୧।

ଧରତୀକୁ ପ୍ରେମେ ଡାକେ ଆକାଶ,

ପୀରତି ଆଶାରେ ଯିବାକୁ ପାଶ,

ବରତି ନହୁଏ ପ୍ରେମିକା ବିନା,

କରତି ଦିଏ ସେ ହୃଦୟ ସିନା,

ସୁରତିଲାଳସୀ ପ୍ରିୟା,

ମୂରତି ତୋହର ନାଚେ ନେତ୍ରେ ମୋର

ବିଚଳିତ ତେଣୁ ହିଆ ।୨।

କାୟା ତ ପ୍ରିୟାର ଗ୍ରାସିଲା ନିଆଁ,

ଛାୟା ରୂପେ ଡାକେ ତା ଆତ୍ମା କିଆଁ,

ଜାୟା ଭାବେ ତୋଷିବାକୁ ମୋ ମନ,

ମାୟା ରଚି ନଭୁଁ ଆସେ ବହନ,

ସାୟାହ୍ନ ସମୀର ସାଥେ,

ବାୟା କରେ ମୋତେ ପ୍ରଣୟ ଆହ୍ୱାନ

ଆଜ ଏ ଚାନ୍ଦିନୀ ରାତେ ।୩।

ଅଙ୍ଗଭଙ୍ଗୀ ଛଳେ ମୋ ହୃଦ-ରାଣୀ

ରଙ୍ଗରସ ଆଶେ ଢାଳେ ଚାହାଣି,

ଚଙ୍ଗ ଚଙ୍ଗ ଭାବ ନ ପାରେ ଜାଣି

ଥଙ୍ଗ ଥଙ୍ଗ କଣ୍ଠୁଁ ନ ଫୁଟେ ବାଣୀ,

ସଙ୍ଗସୁଖ ଭାଳି ମନେ,

ଭଙ୍ଗ କରେ ମୋର ଭାବନା ସକଳ

ପ୍ରେମ-ଗୀତି ଗାଇ କ୍ଷଣେ ।୪।

କଣ୍ଢେଇ ଖେଳ କି ଗଲା ପାଶୋର,

ଚାଣ୍ଡେ କେଣେ ଚଳ ପ୍ରେୟସୀ ମୋର,

ଖଣ୍ଡେ ମୋ ବିଷାଦ ତୋ ଚନ୍ଦ୍ରମୁହଁ,

ଗଣ୍ଡେ କିଆ ଢାଳୁ ସଜନି ! ଲୁହ,

ଦଣ୍ଡେ ରହ ପ୍ରାଣସଖି,

ମଣ୍ଡେ ମୁଁ ଏ ଅଙ୍କ ତୋ ତନୁସମ୍ଭାରେ

ତୋ ବକ୍ଷେ ମୋ ବକ୍ଷ ରଖି ।୫।

ରଞ୍ଜୁଥିଲୁ ମନ ପ୍ରଣୟ ଦାନେ,

ଗଞ୍ଜୁଛି ଆଜ ମୋ ବ୍ୟର୍ଥ ପରାଣେ,

ପଞ୍ଜୁରୀ ଖୋଲି କି ଆସିଛୁ ସତେ,

ସଞ୍ଜୁଆ-ପବନେ ମିଳନ-ପଥେ ?

ମଞ୍ଜୁ ! ରହ ରହ କ୍ଷଣେ,

ଆଞ୍ଜୁଳି ପାତି ତୁ ମାଗୁ ପ୍ରେମ-ଭିକ୍ଷା

ନ ଦେବି ତାହା କେସନେ ? ।୬।

Image

 

ରଜ ପରବେ

 

କହ ରେ ଦଇବ କେଉଁ ଦୋଷୁଁ ରଜ

ପରବେ ମୁଁ ପରବାସୀ,

କମଳନେତ୍ରୀ ମୋ କିପରି ବଞ୍ଚିବ

ଶୋକଜଳେ ଯିବ ଭାସି,

କାମ ପାମର ଶରେ,

କମ୍ବୁକଣ୍ଠୀ ନାଶ ଯିବ ଖରେ ।୧।

ଖଞ୍ଜରୀଟଦୃଶା ଖୁଆନ୍ତା ହରଷେ

ସୁବସିତ ଖିଲିପାନ,

ଖସି ପଡ଼ୁଥାନ୍ତା ଖରେ ମୋର ଅଙ୍କୁ

ଦେଲାବେଳେ ଚୁମ୍ବଦାନ,

ଦେଖ ବହିଣ ମନେ,

ଖୋଜୁଥିବ ସେ ମୋତେ ସଦନେ ।୨।

ଗଜଗମନା ମୋ ଗୋଳା ଚନ୍ଦନକୁ

ବୋଳନ୍ତା କେଡ଼େ ଯତନେ,

ଗଲେ ଏ ପରବେ ଗଳାମାଳା ମୋର

ପାଶ ନ ଛାଡ଼ନ୍ତା କ୍ଷଣେ,

ଗଣ୍ଡେ ବୁହାଇ ବାରି,

ଗଞ୍ଜୁଥିବ କରମେ ତାହାରି ।୩।

ଘନକୃଷ୍ଣକେଶା ଘର ମଣୁଥିବ

ଗହନ କାନନ ପରି

ଘୋର ଦୁଃଖେ ଆହା ଘନ ଘନ ତାର

ଅଙ୍ଗ ଉଠୁଥିବ ଥରି,

ଘୋଷି ମୋ କଥାମାନ,

ଘଟେ ଥିବ କି ଆଉ ତା’ ପ୍ରାଣ ।୪।

ନୀର ତେଜି ପ୍ରିୟା ନିରତେ ନୟନୁଁ

ନୀରସ ମନେ ନୀରବେ,

ନିରେଖି ମୋ ପଥ ନିରାଶ ହୋଇବ

ନୀରଜାକ୍ଷୀ ମୋର ଏବେ,

ନିଶି ଦିବସ ବସି,

ନିନ୍ଦୁଥିବ ବିହି ମଦାଳସୀ ।୫।

ଚାଟୁବାଣୀ କହି ଚୁମ୍ବି ତା’ ବଦନେ

ଚାଳନ୍ତି ଉରଜେ କର,

ଚାରୁ ଚନ୍ଦ୍ରାନନୀ ଚମକି ଚକିତେ

ହୋଇଲାବେଳେ ଅନ୍ତର,

ଚାଣ୍ଡେ ଧରନ୍ତି ଆଜ,

ଚାହିଁ ମୁଖ ସେ କରନ୍ତା ଲାଜ ।୬।

ଛଇଳା ନାଗରୀ ଛନ ଛନ ପ୍ରାଣେ

ଖୋଜୁଥିବ ମୋତେ ସିନା,

ଛଳାଉ ଥିବେଟି ଛଟକେ ତା ସାଙ୍ଗ-

ସାଥୀ ତାହାକୁ ମୋ ବିନା

ଛାତି କରତି ତାର,

ଛଟପଟ କରୁଥିବ ମୋର ।୭।

ଜୀବିତେ ଥିବ କି ଜୀବ-ଜୀବନ ମୋ

ଭାଳି ମୋତେ ନିରନ୍ତରେ,

ଜଳଜବଦନା ଜରଜର ଆହା

ହେଉଥିବ କାମଶରେ,

ଜପାମାଳି ମୋହର,

ଜଳେ ତା ବିରହେ ମୋ ଅନ୍ତର ।୮।

ଝଟତି ତା ତନୁ ଝୀନ ବାସେ ମଣ୍ଡି

ମିଳନେ ମୋ ରଖି ଚିତ୍ତ,

ଝିମିଟକେ ଆହା ଝାମ ଯାଉଥିବ

ମୋ ବିନେ ପରାଣମିତ,

ଝାଉଁଳାଇ ତା ମୁହିଁ,

ଝୁରୁଥିବ ଝରାଇଣ ଲୁହ ।୯।

ନବୀନ ବୟସୀ ନିମିଷକୁ ଆହା

ମଣୁଥିବ ଯୁଗ ପରି,

ନଭେ ଦେଖି ଚାନ୍ଦ ନିଶୀଥେ ବାନ୍ଧବୀ

ନୟନେ ଲୋତକ ଭରି,

ନୀଳୋତ୍ପଳ-ନୟନୀ,

ନଖେ ବିଦାରୁ ଥିବ ଅବନି ।୧୦।

ଟିକକେ ମୋ ପ୍ରୀତି ଟାକି ଥାଏ ସଦା

ମୋର ମରାଳଗମନା,

ଟେକି ଦେଲେ ମଥା ଟଳେ ମୋ ଧିଆନ

ବିବେକ ମୋ ହୁଏ ବଣା,

ଟାହି ଟାପରା ଡରେ,

ଟିପି ଟିପି ପାଦେ ଆସେ ଘରେ ।୧୧।

ଠକ ବୋଲି ମୋତେ ଠଉରାଇ ଚିତ୍ତେ

କରିବ ଗୁମାନ ସିନା,

ଠାକୁରଙ୍କ ପଦେ ଠିକେ ସେ ପ୍ରଣମି

ଯାପିବ କାଳ ନବୀନା,

ଠୁଳ ଦୁଃଖେ ସେ ଆହା

ଠାବେ ଠାବେ ଝୁଣ୍ଟୁଥିବ ଯାହା ।୧୨।

ଡମ୍ବରୁମଧ୍ୟମା ଡରୁଥିବ ଶେଯେ

ଏକାକିନୀ ଶୋଇ ରହି,

ଡବ ଡବ ବାରି ଡୋଳାତଳୁ ତାର

ଗଣ୍ଡେ ଯାଉଥିବ ବହି,

ଡୁବି ଶୋକ ସାଗରେ,

ଡାକୁଥିବ ମୋତେ ନିରନ୍ତରେ ।୧୩।

ଢଗ ଢମାଳିରେ ଢମ କହି କେତେ

ହାସ୍ୟରସ୍ୟ ସାଙ୍ଗସାଥି,

ଢଳାଇଲେ ଚିତ୍ତ ଢାଳେ ପ୍ରେମରସେ

କରତି ହେବ ତା ଛାତି,

ଢାଳି ବାରି ମୋ ସଖି,

ଢୋଳାଇବ କରେ ଗଣ୍ଡ ରଖି ।୧୪।

ନାରୀରତନ ମୋ ନାଶେ କାମତାପ

ସିଞ୍ଚି ତା ପ୍ରଣୟ-ବାରି,

ନାଗରୀ ହୀରାର ନଥିବଟି ଚେତା

ବିରହ ବେଦନା ଭାଳି,

ନତ ଥିବ ବଦନ,

ନିଦ୍ରା ଆହାରେ ନଥିବ ମନ ।୧୫।

ତେଜି ବାସଭୂଷା ତପତ ଲୋତକେ

ଭାଳୁଥିବ ମୋର କଥା,

ତରସ୍ତ ପରାଣେ ତଳେ ଥିବ ଶୋଇ

ହୃଦେ ବହି ଗୁରୁ ବ୍ୟଥା,

ତା’ର ନବ ଯୌବନ,

ତିଳେ ତିଳେ ହେଲା ଅକାରଣ ।୧୬।

ଥକ୍‌କା ହୋଇ ଏବେ ଥିବ ମୋ ସଜନୀ

ଆଜି ଏ ରଜ ପରବେ,

ଥର ଥର ନେତ୍ରୁଁ ଥନ ଥନ ବନ

ବୁହାଉ ଥିବ ନୀରବେ,

ଥିଲେ ସେନେହ ବଶେ,

ଥୋଇଥାନ୍ତି ମୋ ଅଙ୍କେ ହରଷେ ।୧୭।

ଦମକା ପବନେ ଦମ ଦମ ଛାତି

ପଡ଼ୁଥିବ ତାର ଆଜି,

ଦିବା ନିଶି ପ୍ରିୟା ଦୁଃଖମନେ ଥିବ

ମଉନାବତୀ ସେ ସାଜି,

ଦକ ଦକ ମୋ ମନ

ଦଣ୍ଡ ଦିଏ ବିହି କି କାରଣ ।୧୮।

ଧରାମଣ୍ଡନା ମୋ ଧିଆନେ ସତତ

ନିବେଶି ଥିବ ତା ମନ,

ଧିକ ମଣୁଥିବ ଧାତିକାରେ ପ୍ରାଣ

ନୋହିବାରୁ ମୋ ମିଳନ,

ଧୀରା କେଳିସଦନେ,

ଧରି ରଖନ୍ତା ଭୁଜବନ୍ଧନେ ।୧୯।

ନିଃସଙ୍ଗ ଜୀବନେ ନିଷ୍ଫଳ ହୋଇବ

ତାର ବସନ ଭୂଷଣ,

ନିଷ୍କରୁଣ ବିହି ନ କଲା କି ଅବା

ଧିକ ଧିକ ଏ ଜୀବନ,

ନ ପାରିଲି ଯା ଶୁଣି

ନାରୀରତନ ବଚନ ପୁଣି ।୨୦।

ପକାଇଣ ମଲ୍ଲୀ ପାଖୁଡ଼ା ସେ ଶେଯେ

ଚାହିଁଥିବ ମୋର ପଥ,

ପଞ୍ଜୁରୀ ଆବଦ୍ଧ ପକ୍ଷୀ ସମ ସିନା

ଛଟପଟ ହେବ ସତ,

ପାଶେ ଲଭନ୍ତି ସୁଖ,

ପରବାସ ଦେଲା ଏତେ ଦୁଃଖ ।୨୧।

ଫାଟିଯାଏ ହୃଦ ଫେଡ଼ିଲି ନାହିଁ ଯା

କନକଗୋରୀ ଗୁମାନ,

ଫିକା ମୁଖେ ବାଳା ଫିଟାଇଥିବ ତା

ଘେନକେଶ ଜୁଡ଼ା ଜାଣ,

ଫିଙ୍ଗି ଅଙ୍ଗଭୂଷଣେ

ଫେରୁଥିବ ଦାଣ୍ଡୁ ଦୁଃଖମନେ ।୨୨।

ବରବରନା ମୋ ବରଷାଇ ବାରି

ବରଷକର ଏ ଦିନେ,

ବର ମାଗୁଥିବ ବର ଦେବ ପଦେ

ବରଜି ସବୁ ମୋ ବିନେ

ବରତିକ କି ସତେ

ବରତୁଳ-ଉରଜା ଉଷତେ ।୨୩।

ଭାସୁଥିବ ନୀର ଭ୍ରୁଲତା ଯୁଗଳେ

ଆହା ଚମ୍ପାବରନାର,

ଭରମେ ନିଦ୍ରିତେ ଭିଡ଼ି ଧରୁଥିବ

ବସନ ସିନା ତାହାର,

ଭାବବିହ୍ୱଳେ ଥରେ

ଭୂମି ଅଣ୍ଡାଳୁଥିବ ସେ ଖରେ ।୨୪।

ମରାଳ ଗମନା ମାରଶରେ ଆହା

ହେଉଥିବ କଲବଲ,

ମରମ ବେଦନା ମରମରେ ଚାପି

ମଉନେ ହୋଇ ବିକଳ,

‘ମଲି’ ‘ମଲି’ ସେ କହି

ମହୀପରେ ଗଡ଼ୁଥିବ ସହି ।୨୫।

ଯତନେ ଚିତ୍ରଣ ଯାବକେ ଚରଣ

ପହୁଡ଼ିଥିବ ପଲଙ୍କେ,

ଯାପୁଥିବ ନିଶି ଯୋଷାବର ଆହା

କେତେ ଆଶା ରଖି ବକ୍ଷେ,

ଯାମକୁ ମୋ ନବୀନା,

ଯୁଗ ମଣୁଥିବ ମୋର ବିନା ।୨୬।

ରସ ରଙ୍ଗିନୀ ମୋ ରସୁଥାନ୍ତା ମନ

ପ୍ରେମେ ରସଦାନେ ଆଜ,

ରସବତୀ ବିନା ରସିକ ପରାଣେ

ଏ ମୋର ଆଉ କି କାର୍ଯ୍ୟ

ରଜ ମଉଜ ତେଜି,

ରହେ ପରବାସେ ଭାଗ୍ୟ ହେଜି ।୨୭।

ଲୋଟିଥାନ୍ତି ସୁଖେ ଲଳନାର ବକ୍ଷେ

ଫେଇ ଅଙ୍ଗୁତାର ବାସ,

ଲୋଡୁଥାନ୍ତା ପ୍ରୀତି ଲତାଇ ମୋ ଅଙ୍ଗେ

ପ୍ରିୟା କରି ଦରହାସ,

ଲାଜ ତେଜି ମୁଁ କ୍ଷଣେ,

ଲାଗି ପଡ଼ନ୍ତି ନୀବିମୋଚନେ ।୨୮।

ବଳାନ୍ତି ମୋ ଚିତ୍ତ ବାରେ ବିପରୀତେ

ହୋଇ ପ୍ରେମେ ମତିଭୋଳା,

ବିଳାସିନୀ ବାଳା ବଳା ଖୋଲି ପଦୁଁ

ବୁଜନ୍ତା ତା ଚାରୁ ଡୋଳା,

ବୃଥା ହେଲା ଭାବନା

ବିଶ୍ୱେ ହତଭାଗ୍ୟେ ହେଲି ଗଣା ।୨୯।

ଶୟନେ ସ୍ୱପନେ ସଦା ମୋ ମାନସୀ

ଇଚ୍ଛୁଥିବ ମୋର ସଙ୍ଗ

ଶୁଖିଥିବ ସଜ ସରୋଜ ବଦନ

ଚମକୁଥିବ ତା ଅଙ୍ଗ,

ଶେଷେ ହୋଇ ବିମନ,

ଶୋକସାଗରେ ହେବ ମଜ୍ଜନ ।୩୦।

ଷୋଳବୟସୀ ମୋ ସଜ ଫୁଟା ଫୁଲେ

ଯତନେ ଗୁନ୍ଥିଣ ମାଳା,

ଷଟପଦକେଶୀ ସାରସଗମନୀ

କ୍ଷୀଣକଟି ନବବାଳା,

ସାରା ନିଶି ଅନାଇ,

ଶେଷେ ଫିଙ୍ଗିବ ଯାତନା ପାଇ ।୩୧।

ସରସିଜଦୃଶା ସରମ ଚାହାଣୀ

ପାଶୋର ନ ଯିବ ମନୁଁ,

ସରଗ ସୁନ୍ଦରୀ ସରି ନୋହିବେ ଟି

ତାକୁ ସେ ମୋ କ୍ଷୀଣ ତନୁ ।

ସାର ଅଟେ ତା ପ୍ରୀତି,

ସୁମରଇ ପ୍ରିୟାରେ ମୁଁ ନିତି ।୩୨।

ହରିଣ ନେତ୍ରୀର ହଜିଥିବ ବୁଦ୍ଧି

ହରରିପୁ ଫୁଲଶରେ,

ହରଷବଦନା ହରନ୍ତା ମୋ ମନ

ଆହା କଥାପଦକରେ,

ହାଦେ ଚମକି ହାୟ

ହେଉଥିବ ପାଗଳିନୀପ୍ରାୟ ।୩୩।

କ୍ଷୋଭ ଆସେ ମନେ କ୍ଷୀଣମଧ୍ୟମା ମୋ

ସହୁଥିବ କାମଦାଉ

କ୍ଷବ୍‌ଧ ମନେ ପ୍ରଭୋ ! କ୍ଷମା ମାଗେ ଦାସ

ନ କରି ପ୍ରବାସୀ ଆଉ,

କ୍ଷିତି-ମଣ୍ଡନା ସଙ୍ଗ,

କ୍ଷଣେ ନ କରାଅ ଆଉ ଭଙ୍ଗ ।୩୪।

Image

 

ବିରହୀର ସଂସାର

 

ବଇଶାଖେ ଘୋର ଝାଞ୍ଜି ବହେ,

ଯୁବଜାନି ମୁଁ ଯେ ଦୁଃଖେ ହାୟ !

ଦର୍ପକ ଗୁରୁଦର୍ପ ସହେ ।

ପ୍ରିୟତମା ମୋର କାହିଁ ରେ ଆଜି,

ଅଙ୍ଗ କାହାର ଦେବି ମୁଁ ସାଜି,

ଅଧରେ ଫୁଟାଇ ମଧୁର ହାସ,

ଫେଇ କା ଅଙ୍ଗୁ ସୁଝୀନ ବାସ,

ଚନ୍ଦନରେ,

ଚର୍ଚ୍ଚିତ କରି କା’ କଳେବରେ,

ଦେଖି ସେ ଶୋଭା,

ଚିତ୍ତଲୋଭା

ପ୍ରଣୟ-ମଧୁର ବଚନ ଛଳେ

ପ୍ରଣୟିନୀ ସାଥେ କି କୁତୂହଳେ

ଥାନ୍ତି ମାତି,

କିନ୍ତୁ ହାୟ ! ଦୂରେ ବହୁଦୂରେ ପରାଣସାଥି ।୧।

ଜ୍ୟୈଷ୍ଠ ମାସରେ ପଡ଼ଇ ରଜ

ଘଞ୍ଚ-ଉରଜା ଚଞ୍ଚଳ ମନେ

ମୋର ଆଗନେ ହୁଅଇ ସଜ ।

ଝୀନବାସ ତଳୁ ଅଙ୍ଗ ସୁଷମା

ପ୍ରିୟତମାର ମୋର ଉଠଇ ଫୁଟି,

ଲାଜ ତେଜି ମନୁଁ ଚାନ୍ଦବଦନୁଁ

ପିଉଥାନ୍ତି ସେ ପୀୟୁଷ ଲୁଟି,

ଲଜ୍ଜାଭରେ,

ଲୁଚାଏ ବଦନ ପଣତ-ତଳେ;

ଆହା ସେ ଛବି

ବର୍ଣ୍ଣି ପାରିବ କହ କେ କବି ?

ହର୍ଷ ଲଜ୍ଜା ଉଭୟ ରଖି,

ମୋ ପ୍ରିୟ ସଖି,

ଜ୍ୟାତ୍ସ୍ନାଧଉତ ମଧୁରରାତେ,

ମୋର ତୁଲେ ଯେବେ ପ୍ରଣୟେ ମୋତେ,

ଭାଳି ସେ କଥା,

ଅନ୍ତରେ ଆଜି ଜାଗଇ ବ୍ୟଥା ।୨।

ଆଷାଢ଼ ମାସରେ ବରଷା ଆସେ,

ଏକାଳେ ହାୟ ବଞ୍ଚେ ମୁଁ ଦିନ

ଉଷ୍ଣଲୋତକ ଦୀର୍ଘଶ୍ୱାସ !

ଝିପି ଝିପି ମେଘେ ତ୍ରସ୍ତ-ଉରେ,

ଟିପି ଟିପି ପାଦେ ଥରେ ମୋ ପୁରେ,

ଛପି ଛପି ମୋର ଚମ୍ପା ଗୋରୀ,

କରିଥିଲା ମୋର ଚିତ୍ତ ଚୋରି,

ଗୁରୁଗମ୍ଭୀର ବଜ୍ରନାଦେ,

କଂପିତ-ବୁକେ ତ୍ରସ୍ତପାଦେ,

ଶଙ୍କାଭରେ,

ଜାବୋଡ଼ିଥିଲା ମୋ ବକ୍ଷେ ଥରେ,

ଭାଗ୍ୟହୀନ

ଆସିବ କି ଫେରି ଆଉ ସେ ଦିନ !

ଆଜି ପରବାସେ ଯକ୍ଷ ସମ,

ଦଣ୍ଡ ଭୋଗଇ କି ନିରିମମ,

ହାୟରେ ହାୟ,

ବିରହ-ଦୁଃଖେ ଶୀର୍ଣ୍ଣକାୟ ।୩।

ଶ୍ରାବଣେ ଝୁଲଣ ଯାତ୍ରା,

ଉଲ୍ଲାସ ଆଣେ ଜଗତେ କିନ୍ତୁ

ବଢ଼େ ମୋ ଦୁଃଖ ମାତ୍ରା ।

ଝର ଝର ଝର ବରଷା ଧାରା,

ବହିଯାଏ ସିନା ରଜନୀ ସାରା,

କିନ୍ତୁ ଜାଣେ,

ଚର ଚର କରି ବିରହୀ-ବକ୍ଷେ

ଛୁରିକା ହାଣେ ।

ଥରକୁ ଥର ମୋ ଅଙ୍ଗ ଥରେ,

ନିଷ୍ଠୁର ସେହି ଅତନୁ ଶରେ,

ପ୍ରିୟାର ଲାଗି ।

ବକ୍ଷେ ବେଦନା ଉଠଇ ଜାଗି,

କିନ୍ତୁ ହାୟ ! କରିବି କିସ,

ପ୍ରଣୟର ମଧୁ-ପାତ୍ରେ ଦଇବ

ଭରି ଦେଇଛି ରେ ବିରହ-ବିଷ ।୪।

ଭାଦ୍ରବେ କେତେ ବରତ ଓଷା,

ସନ୍ତତ ହିତ ଚିନ୍ତନେ ମୋର

ପାଳୁଥାନ୍ତା ରେ ଆହା ମୋ ଯୋଷା ।

ସହି ନୋହେ ଏହି ତୀବ୍ର ଖରା,

ନୀଚଜନ କଟୁ ବାକ୍ୟ ପରା,

ଶୁଭ୍ରବରନ ଜଳଦ ଏକାଳେ

ସହସା ଆକାଶେ ଢାଙ୍କେ,

ଲୁଚକାତି ଖେଳେ ସୂର୍ଯ୍ୟ କି ଅବା

ଚଲା ବଉଦର ଫାଙ୍କେ ।

ଦିଗହଜା ମନ ଗହୀରେ ମମ,

ଆଜିର ଏ ଚଲା ବଉଦ ସମ,

ଅତୀତ କଥା

ଉଙ୍କି ମାରି ମୋ ଅନ୍ତରେ ଆଜି

ଜଗାଏ ବ୍ୟଥା ।୫।

ଆଶ୍ୱିନ ମାସ ହୋଇଲା ଆସି,

ଦଶହରା ମଧୁ-ପାର୍ବଣେ ଆଜି

ହର୍ଷେ ସକଳେ ଗଲେରେ ଭାସି ।

ପୂର୍ଣ୍ଣମୀର ଏ ଚନ୍ଦ୍ର ଗଗନେ ରାଜେ,

କୁମାରୀ ଅଙ୍ଗ ନବ ବସ୍ତ୍ରରେ ସାଜେ,

ରୂପ ଲାବଣ୍ୟ ତାର,

ଝଳି ଉଠେ ବାରବାର,

ପାର୍ବଣେ ଆସି ଜ୍ୟୋତ୍ସ୍ନା-ଧଉତ ରାତେ

ହର୍ଷେ କୁମାରୀ ପୁଚିଖେଳେ ସିନା ମାତେ,

ହୁଳହୁଳି ମଧୁସ୍ୱନ,

କମ୍ପାଏ ଅପଘନ,

ନୀରବେ ବସି ମୁଁ ବିଜନ ତଟନୀ କୂଳେ,

ବଟବୃକ୍ଷର ମୂଳେ,

ଅମଳ ଧବଳ ପୂର୍ଣ୍ଣଚନ୍ଦ୍ରେ ଚାହିଁ,

ପ୍ରଶ୍ନ ପଚାରେ କହ ରେ ଦଇବ କାହିଁ,

ଚନ୍ଦ୍ରବଦନା ମୋର,

ଯା’ ବିହୁନେ ଭୋଗେ ବିରହ କଷଣ ଘୋର ।୬।

କାର୍ତ୍ତିକ ମାସେ ପରଶେ ଶୀତ,

ସଙ୍ଗତେ କା’ର ବଞ୍ଚିବି ଦିନ

ଦୂରେ ବହୁଦୂରେ ପରାଣମିତ ।

ଶୀତଳ ପବନ ବହଇ ଖରେ,

ପ୍ରିୟା ବିନା ମୋର ଚିତ୍ତ ଥରେ,

ଆଉ କା’ ପାଶେ,

ମଧୁର ହାସେ,

ଯାପିବି ଦୀର୍ଘ ରଜନୀ,

ନାହିଁ ପାଶେ ମୋର ସଜନୀ,

କାହା ଭୁଜେ ଭୁଜ ଛନ୍ଦି ଆଜି,

ପୁରୁଷାୟିତରେ କରାଇ ରାଜି,

ହର୍ଷଭରେ

ଯାପିବି ସିନା ଏ ରଜନୀ ଖରେ,

ତା ବିନା କେ ଆଉ

ଭୀତି ମୋ ମାନସୁଁ ଛଡ଼ାଇ

ଚୂର୍ଣ୍ଣ କରିବ

ଦୁଷ୍ଟ-ଅତନୁ ବଡ଼ାଇ ।୭।

ମାର୍ଗଶୀରର ଶୀତଳ ବାଆ,

କଂପନ ଆଣେ ଅଙ୍ଗେ ମୋହର

ନାହିଁ ମୋର ପାଶେ ପତ୍ନୀ ଆହା ।

ଶିରି ଶିରି ସୁରେ ପବନ ବହେ,

ବିରହ-ବିଧୁର-ପରାଣେ ଦହେ,

ଅଙ୍ଗେ କାହାର ଅଙ୍ଗକୁ ମୋର ଜଡ଼ାଇ

ହେଳେ ଅନଙ୍ଗ ଦମ୍ଭକୁ ଦେଇ ଛଡ଼ାଇ

କାଟିବି ଆଜି ମୁଁ ଦିନ,

ଆହା ମୁଁ ଭାଗ୍ୟହୀନ;

ପ୍ରିୟା ବିନା କାମ ତୀବ୍ର ଜାଳା,

ଦହନ କରେ ମୋ ଅଙ୍ଗ ସାରା,

ଦିନକୁ ଦିନ

କଳେବର ମୋର ହେଲା ରେ କ୍ଷୀଣ ।

ସରିଯାଉଛି ମୋ ଆୟୁଷ,

କେବେ ମନ ଭରି ପାନ କରିବି ମୁଁ

ପ୍ରିୟାର ପ୍ରଣୟ-ପୀୟୂଷ ।୮।

ପୁଷ ମାସ ଆସି ପ୍ରବେଶ କଲା,

ସଂଯୋଗୀ ସିନା ହର୍ଷେ ରହିଲେ

ବିଯୋଗୀର ଆହା ଜୀବନ ଗଲା ।

ପୁଷ୍ପଧନ୍ୱା ସାଜିଲାଣି ଏବେ ପାଜି,

ଛନକା ଆଣଇ ଚିତ୍ତେ ମୋହର ଆଜି,

ଶିରୀଷାଙ୍ଗୀ ମୋ କେବଳ ଏ କାଳେ ସାହା

ତା’ ବିନା ନ ପାଏ ଅନ୍ୟ ମୁକ୍ତି ରାହା,

ଆଜି ଏ ଦୁଃଖ ନାଶେ

ପାଇବି କି ତାକୁ ସତେ ମୋ ବକ୍ଷପାଶେ !

ଦଇବ ରଚିଛି ଛନ୍ଦ,

ଲିହିଛି କପାଳେ ମନ୍ଦ,

ଯୁବତୀ ପ୍ରିୟାର ସଙ୍ଗ ଆଜି ମୁଁ ତେଜି,

ବଞ୍ଚି ପାରିଛି କି ସୁଖ ମାନସେ ହେଜି,

ଧିକ୍‌କାର କରେ ଶତ,

ପରାଣ ମୋହର ନ ଯାଇ ରହିଛି

ଯାହା ସେ କଣ୍ଠଗତ ।୯।

ମାଘ ମାସ ରାତି ପାହାନ୍ତି ବେଳା,

ବାଘ ଛାଗ ନ୍ୟାୟେ ଜାବୋଡ଼େ ଅଙ୍ଗ

ବିରହୀର ସିନା ବୁଡ଼ଇ ଭେଳା ।

ଅଦିନ ବରଷା ଆସେ ରେ ମାଡ଼ି,

ପ୍ରିୟାକୁ ମୁଁ ଦୂରେ ଆସିଛି ଛାଡ଼ି,

କରିବି କିସ,

ଚିନ୍ତାମଗ୍ନ ଅହର୍ନିଶ ।

ଥରି ଉଠେ ଘନ ଘନ ମୋ ଛାତି,

ନାହିଁ ପାଶେ ଯେଣୁ ପରାଣସାଥୀ,

ସଙ୍ଗେ ତା’ର,

ଯାପୁଥାନ୍ତି ମୁଁ ହର୍ଷେ କାଳ ।

କିନ୍ତୁ ଆଜି ଏ ଭାବନା ଘୋର,

ପ୍ରିୟତମା ନାହିଁ ପାଶରେ ମୋର,

ଭଗ୍ନ-ଉରେ

ମୁଁ ଯେ ଆଜି ଦୂରେ ବହୁତ ଦୂରେ ।୧୦।

ଫାଲ୍‌ଗୁନ ମାସ ଆସିଲା ଏବେ,

ପ୍ରଳୟ ସରଜେ ମଳୟ ସମୀର

ପ୍ରିୟାସଙ୍ଗ ମୁଁ ଲଭିବି କେବେ !

ଫଗୁଆ ସଞ୍ଜେ ଫୁଟଇ ଫୁଲ,

ସୁଷମା କାହିଁରେ ତା ସମତୁଲ,

ହସି ଉଠେ ଶ୍ୟାମ-କୁଞ୍ଜ

ଚଉଦିଗେ ଅଳି କୁଞ୍ଜ ।

ପ୍ରକୃତିର ଏହି ସୁଷମାଚୟ,

ବିରହୀ ପରାଣେ ଜଗାଏ ଭୟ,

ପଞ୍ଚମ ସୁରେ କୋକିଳର କୁହୁ ବାଣୀ,

ବିରହ-ବିଧୁର-ଚିତ୍ତେ ମୋ ଦିଏ ହାଣି,

କା’ ପାଶେ ଦୁଃଖ କହିବି,

ଭାଗ୍ୟ ଆଦରି ମଉନରେ ସିନା ସହିବି ! ।୧୧।

ମଧୁମୟ ଏହି ଚଇତି ରାତି,

ଉପଭୋଗ୍ୟ ସେ ପ୍ରଣୟି-ଯୁଗଳେ

ବିରହୀ ପରାଣେ ଚଳାଏ କାତି ।

ମନେ ପଡ଼େ ମୋର ଅତୀତ କଥା,

ଅନ୍ତରେ ଆଜି ଜଗାଏ ବ୍ୟଥା,

ଦୂରେ ମୋ ସଜନୀ, କାହା ଗଭା ଆଉ ଆଜି

ମଲ୍ଲୀ କୁସୁମେ ସରାଗେ ଦେବି ରେ ସାଜି ।

ତନ୍ଦ୍ରା ବିଭୋରେ ଚନ୍ଦ୍ରବଦନେ କା’ର

ଉଲ୍ଲାସଭରେ ଚୁମ୍ବି ମୁଁ ବାରବାର,

ମାତିବି ନବୀନ ହର୍ଷେ,

କାହାର ଅଙ୍ଗ ସ୍ପର୍ଶେ ।

ଭୁଜ ବନ୍ଧନେ କାହାର ତା’ ବିନା ଆଉ,

ସଂଭାଳି ନେବି ଦର୍ପକର ସେ ଦାଉ,

ଅଙ୍ଗେ କାହାର ଅଙ୍ଗକୁ ମୋର ଜଡ଼ାଇ

ଚିନ୍ତା, ଦୈନ୍ୟ ମାନସୁଁ ଦେବି ମୁଁ ଏଡ଼ାଇ,

ମିଳନ-ଛନ୍ଦେ ପାଶୋରେ ସକଳ ବିଶ୍ୱ,

ଇନ୍ଦ୍ର ପଦବୀ ତୁଚ୍ଛ ମଣେ ମୁଁ

ହୁଏ ପଛେ ଅତି ନିଃସ୍ୱ ।୧୨।

Image

 

ମେଘାଲୋକେ

 

ଝିପି ଝିପି ଝିପି ବରଷେ ମେଘ,

ବତାସର ଆଜି ତୀବ୍ର ବେଗ,

କଂପେ ଛାତି,

ନାହିଁ ପଶେ ମୋର ପରାଣ ସାଥି ।୧।

‘‘ରାମଗିରି’’ ମୋର ଭଗ୍ନ କୁଟୀ,

ଦଇବ ନେଇଛି ହର୍ଷ ଲୁଟି,

ଦୁଃଖେ ଆଜି,

ମନବଳ ମୋର ଯାଇଛି ଭାଜି ।୨।

ଅଳକାପତି ସେ କୁବେର ଶାପେ

ଯକ୍ଷ ଯେସନ ଦିବସ ଯାପେ,

କର୍ମ ଯୋଗେ,

ବର୍ଷକ ଲାଗି ବିରହ ଭୋଗେ ।୩।

ବନ୍ଦୀ ସମ ମୁଁ ଏକାକୀ ଗୃହେ,

ସିକ୍ତ ଗଣ୍ଡ ଉଷ୍ଣ ଲୁହେ,

ଦୃଷ୍ଟି ଢାଳି,

ଚାହିଁଛି ଊର୍ଦ୍ଧ୍ୱେ ପ୍ରିୟାରେ ଭାଳି ।୪।

ଆଠୋଟି ମାସର ଅନ୍ତେ ପୁଣି,

ଜଳଦମନ୍ଦ୍ର ଶବ୍ଦ ଶୁଣି,

ଅଙ୍କେ ତା’ର

ଦେଖି ଏ ଚପଳା ବାରମ୍ବାର ।୫।

ମନେ ପଡ଼େ ମୋର ଅତୀତ କଥା,

ଘୂରି ଉଠେ ପୁଣି ଏ ମୋର ମଥା,

ପତ୍ନୀ ଲାଗି,

ଅନ୍ତରେ ଉଠେ ବେଦନା ଜାଗି ।୬।

ମେଘକୋଳେ ଯଥା ବିଜୁଳି ଶୋହେ,

ଦର୍ଶନେ ଜନ ଚିତ୍ତ ମୋହେ,

ତାହାରି ସମ,

ରାଜେ ବିପରୀତେ କାନ୍ତା ମମ ।୭।

ଲଜ୍ଜା, ହର୍ଷ ଉଭୟ ସାଥେ,

ପୁରୁଷାୟିତରେ ପ୍ରିୟା ମୋ ମାତେ,

ବର୍ଷା ସମ,

ଶାନ୍ତ କରାଏ ଚିତ୍ତ ମମ ।୮।

ଉତ୍‌କଣ୍ଠାର ତଟିନୀ ଗ୍ରାସେ,

ଦମ୍ଭ-ପାଦପ ସହସା ଭାସେ,

କ୍ଷଣକୁ କ୍ଷଣ,

ପୁଲକିତ ହୁଏ ମୋ ଅପଘନ ।୯।

ନବକଦମ୍ବ ପୁଷ୍ପ ପରି,

ପୁଲକେ ଶରୀର ଉଠଇ ଥରି,

ବାରଂବାର,

ଜଳଦରେ ! ନାହିଁ ଉପମା ତା’ର ।୧୦।

ନୃତ୍ୟନିପୁଣା ମୟୁରୀ ସମ,

ପ୍ରିୟା ମଥାବେଣୀ କି ଅନୁପମ,

ଛନ୍ଦ ତୋଳି,

ନର୍ତ୍ତନ ଛଳେ ଖେଳଇ ଦୋଳି ।୧୧।

କାମକେଳିରତ କାଳେ ମୋ ବାଳା;

ଦୋହଲେ ବକ୍ଷେ ମୁକ୍ତାମାଳା,

ଛିଡ଼ଇ ତାହା,

ବକପନ୍ତିର ଦୃଶ୍ୟ ଆହା ।୧୨।

କଟି ମେଖଳାର ଶବ୍ଦ ଯାହା,

ପିନ୍ଧିଥାଏ ମୋ ପ୍ରେୟସୀ ଆହା,

ଭେକର ସ୍ୱନ,

ସମାନ ସେ ହରି ନିଏ ମୋ ମନ ।୧୩।

ଉନ୍ନତ ତାର ଉରଜ ଦୁଇ,

ମନ ଭରି ଯେବେ ମର୍ଦ୍ଦେ ମୁହିଁ,

ନଖକ୍ଷତ

ସାଧବ ବୋହୂର ଦୃଶ୍ୟ ସତ ।୧୪।

ବଚନେ ତା ‘‘ମଲି’’ କୁସୁମ ଫୁଟେ,

ଚୁମ୍ବନ କାଳେ ଅଧର ପୁଟେ,

ଆହା ସେ ଛବି,

ବର୍ଣ୍ଣି ପାରିବ କହ କେ କବି ।୧୫।

ଗଗନୁଁ କରକା ପତନ ସମ,

ବହଇ ଘର୍ମ କି ଅନୁପମ,

ହାୟ ସେ ଶୋଭା,

ଉପମା ନାହିଁ ତା’ ଚିତ୍ତଲୋଭା ।୧୬।

ମାଳତୀ କୁସୁମ ସମାନ ତା’ର,

ଅଙ୍ଗ ଆମୋଦ ବାରକୁ ବାର,

ଛୁଟେ ରେ ଛୁଟେ,

ଆଘ୍ରାଣେ ମୋର ଚିତ୍ତ ଲୁଟେ ।୧୭।

ଝଞ୍ଜାପବନ ସମାନ ତା’ର,

ନିଃଶ୍ୱାସ ବହେ ବାରମ୍ବାର,

ପୟୋଦ ସମ,

କୁଚଯୁଗ ଚଳେ କି ଅନୁପମ ।୧୮।

ପ୍ରିୟାର ଅଙ୍ଗଭୂଷଣ ମାନ,

ଜୁଳୁଜୁଳିଆର ଦୃଶ୍ୟ ଜାଣ,

ଗଭାର ଫୁଲ,

ଶେଯପରେ ଶୋହେ ଛତୁର ତୁଲ ।୧୯।

ଚିତ୍ରିତ ତାର ବସନ ଆହା,

ଇନ୍ଦ୍ରଧନୁର କାନ୍ତି ତାହା,

ଧରଇ ସିନା,

ବିପରୀତେ ପ୍ରିୟା ପ୍ରଣୟ-ଲୀଳା ।୨୦।

ବରଷି ପ୍ରଣୟ ମଧୁର ରସ,

ବଦନ ସତତ କି ହସ ହସ,

ମନ୍ଦ୍ର ନାଦ,

ହୁଂକୃତ ସିନା ନିର୍ବିବାଦ ।୨୧।

ଏସନ ପ୍ରିୟାର ସୁରତ କ୍ରୀଡ଼ା,

ମିଶ୍ରିତ ଯହିଁ ହର୍ଷ, ବ୍ରୀଡ଼ା,

‘‘ନାହିଁ ଯା’’ ବାଣୀ,

ସ୍ମରଣେ ମରମ ହୁଏ ମୋ ହାଣି ।୨୨।

କାମାନଳ ମୋର ହୃଦୟ-ବନୁଁ

ଶାନ୍ତ କରେ ସେ ନ ଯାଏ ମନୁଁ,

ହାୟରେ ହାୟ,

ଚିନ୍ତାରେ ତା’ର ଶୀର୍ଣ୍ଣକାୟ ।୨୩।

ଦେଖ ଦେଖ ମେଘ ! ମୋହର ଦଶା,

ପ୍ରିୟତମା ମୋର ଏକା ଭରସା,

ବିରହେ ତା’ର

ନିନ୍ଦେ କପାଳେ ବାରକୁ ବାର ।୨୪।

ଚପଳା ଯେସନ ତୋହର ସାଥି,

ପ୍ରଣୟେ ତା’ ସାଥେ ଯାଉ ତୁ ମାତି,

ହର୍ଷଭରେ,

ନଭୋମଣ୍ଡଳେ ବିରାଜି ଖରେ ।୨୫।

ସ୍ୱେଚ୍ଛାରେ ତୁହି ବିଚରୁ ନଭେ,

ନିର୍ଭୟ ମନେ ସଗୌରବେ,

କିନ୍ତୁ ହାୟ !

ଭାଗ୍ୟହୀନ ମୁଁ ନିରୁପାୟ ।୨୬।

ନାହିଁ ମୋ ଶକ୍ତି, ନାହିଁ ମୋ ଧନ,

ଦୁର୍ବଳ ଦେହ, ତ୍ରସ୍ତ ମନ,

କ୍ଷମତା ନାହିଁ,

ତୋ ସାଥେ ସମାନ ହେବି ମୁଁ କାହିଁ ।୨୭।

ମଣଇ ମୁଁ ସବୁ ସ୍ୱପ୍ନ ସିନା,

ବିଧାତାର ଶୁଭ ଦୃଷ୍ଟି ବିନା,

ସଫଳ କାହିଁ,

ହେବ ମୋର ଆଶା, ପରତେ ନାହିଁ ।୨୮।

Image

 

ସପନ-ସୁନ୍ଦରୀ

 

ସପନ ସୁନ୍ଦରୀ !

ଗୋପନେ କିଆଁ ଗୋ

ଆସ ମୋର ଶୂନ୍ୟୟରେ

ଲପନ ଇଙ୍ଗତେ

କି ଅବୁଝା କଥା

କୁହ ସଖି ବ୍ୟଥାତୁରେ ।

କଂପନ ଜାଗଇ

ଏ ବିରହୀ ପ୍ରାଣେ

ତୁମର କଟାକ୍ଷ ପାତେ,

ତପନ ଜଳେ ମୋ

ଦରଦୀ ପରାଣେ

ତବ ଆଗମନେ ଏଥେ,

ରୂପସି ! ଫେର ଗୋ ଖରେ,

ବପନ ନ କର

ଖେଦବୀଜ ଆଉ

ଦେଖାଇ ସେ ରୂପ ଥରେ ।୧।

 

ମଞ୍ଜୀର ଗୋ ତବ

ମଂଜୁଳ ନିନାଦେ

ବେସୁରା ରାଗରେ ଆଜି,

ଶିଂଜନେ ତା’ର ଗୋ

ଉଲସାଇ ଦିଏ

ସଖି ମୋର ଲୋମରାଜି ।

ଗୁଞ୍ଜନ ତୋଳେ ମୁଁ

ବିରହୀ ପରାଣେ

ସୁମରି ଅତୀତ କଥା,

ପଂଜର ମୋହର

ଦୋହଲାଇ ଦିଏ

ଦାରୁଣ ବିଚ୍ଛେଦ ବ୍ୟଥା,

କଂଜ ବଦନା ରେ ମୋର,

ରଂଜନ ଆଶେ କି

ଆଶାୟୀ ପରାଣେ

ଆଜି ଏ ଭାବ ବିଭୋର ।୨।

ଭରମ ଉପୁଜେ

ସତେ କି ଗୋ ପ୍ରିୟା

ନ ପାରୁଛ ମୋତେ ଭୁଲି,

କରମ ଆଦରି

ରହିଛ କି ସତେ

ପ୍ରଣୟ-ପ୍ରଦୀପ ଜାଳି ।

ଚରମ ସୀମାରେ

ପହଞ୍ଚି ସଜନି !

ନ ପାରିଲ ଆଉ ସହି,

ପରମ ସଂପଦ

ପୀରତି ଲାଳସେ

ଆସିଲ ମୋ ପାଶେ ଧାଇଁ,

ସରମ ଚାହାଣି ଢାଳି

ମରମେ ମୋହର

ବିରହ-ଅନଳ

ନ ଦିଅ ଗୋ ଆଉ ଜାଳି ।୩।

ଚରଣ ପାଶେ ମୋ

ବସିଛ କିଂପାଇ

ବହି ମନେ ଅଭିମାନ,

ଶରଣ ଲୋଡ଼ କି

ନ ସହି ପାରି ଏ

ମନମଥ କାମବାଣ ।

ବରଣ କରିଣ

ଅକୁହା କଷଣ

ହୃଦୟହୀନ ସମାଜେ,

ମରଣ ଯାତନା

ସହି ସହି ଏବେ

ନ ଡରିଲ ଆଉ ଲାଜେ,

ହରଣ କରି ସେ ଗ୍ଲାନି,

ପୂରଣ କରିବା

ଆଶେ ମନୋରଥ

ଆସିଲ କି ହୃଦରାଣି ! ।୪।

ଗଗନେ ବିଲୋକି

ପୂର୍ଣ୍ଣିମା ଚାନ୍ଦ କି

ହେଲ ତୁମେ ଆତ୍ମହରା,

ଲଗନ ମଉଳି

ଗଲା ସତେ ପ୍ରିୟା

ମଧୁର ମିଳନେ ପରା ।

ମଗନ ଥିଲି ମୁଁ

ଅବିନଶ୍ୱର ମୋ

କାବ୍ୟ-ନାୟିକାର ପ୍ରେମେ,

ଭଗନ କଲ ଗୋ

କିପାଁ ମୋ ଧିଆନ

ମୃଦୁହାସେ ଆସି ତୁମେ,

ଅଂଗନେ ମୋହର ଆସି,

ସଂହନନ ତବ

ବାରଂବାର କିଆଁ

ଉଲ୍ଲସାଅ ମଦାଳସି ! ।୫।

ବାଜିଲା କି ଆଜି

କର୍ଣ୍ଣକୁହରରେ

କୋକିଳର କୁହୁ ତାନ,

ସାଜିଲ କିଆଁ ଗୋ

ନବ ମଲ୍ଲୀହାରେ

ଘନକୁନ୍ତଳ ବହନ ।

ମଜ୍ଜିଲା କି ମନ

ମଧୁର ପ୍ରଣୟେ

ଦେଖି ଏ ବସନ୍ତ ଶୋଭା,

ହଜିଲା ବିବେକ

ମକରକେତନ

ସୁମନ ଶାୟକେ ଅବା,

ରାଜୀବନୟନୀ ମୋର,

ଭାଜିଲା କି ଏବେ

ଦୃଢ଼ ଅଭିମାନ

ସହି ଏ ବିରହ ଘୋର ।୬।

ଛନ ଛନ ହୃଦେ

ଆସିଲ କି ଚାଲି

ନ ସହି ବିରହ ବ୍ୟଥା,

ଘନ ଘନ କିଆଁ

ବହଇ ନିଃଶ୍ୱାସ

ନ ପାର ଗୋ କହି କଥା ।

ଥନ ଥନ ବାରି

ବୁହାଅ ନୟନୁଁ

ଇଚ୍ଛି ସେ ପ୍ରଣୟ ସୁଖ,

ଖନ ଖନ କଥା

କୁହ ଗୋ କିପାଁଇ

ହୋଇଲ କି ଏବେ ମୂକ ?

କନକଗୋରି ରେ ! ଆଜି,

ଝନ ଝନତବ

 

ନୂପୁର ନିନାଦେ

ଯିବ କି ମୋ ଧ୍ୟାନ ଭାଜି ? ।୭।

ଲାଗିଲା କି ପ୍ରାଣେ

ମହୁଆ ପୁଲକ

ଦେଖି ଏ ଚଇତି ନିଶା,

ଜାଗିଲା ବିବେକ

ହେରି କି ନୟନେ

କେତକୀ କୁସୁମ ଦଶା ।

ଜାଗିଲା କି ସୁର

ମାରି ଫୁଲଶର

ତୁମର କୋମଳ ବକ୍ଷେ,

ମାଗିଲ ଗୋ ପ୍ରେମ

ଭାବବିହ୍ୱଳେ ଏ

ଦରଦୀ କବିର କକ୍ଷେ,

ନାଗରୀ ହୀରା ଗୋ ଏବେ,

ଭାଗ ଆଶେ କାବ୍ୟ

ସପତଣୀ ପ୍ରେମୁଁ

ଆଗମିଲ କି ଏ ଠାବେ ।୮।

 

ବସନ ବିଭଙ୍ଗେ

କିଆଁ ଗୋ ମାନସି !

ମୃଦୁ ହାସେ ଆସ ପାଶେ,

ଅଶନ ଆଶେ କି

ପ୍ରଣୟ-ମଦିରା

ପାଶୋରିଲ ଅପଯଶେ ।

କଷଣ ଦେଲା କି

ମନମଥ ତା’ର

ସୁମନ ଶରେ ସତତ,

ଶ୍ୱସନ କିଆଁ ଗୋ

ବହେ ଖରତର

ହୁଅ ପୁଣି ବିଚଳିତ,

ନାଶନେ ବିରହ ଜାଳା

ଆସନ ଇଚ୍ଛ କି

ମୋ ଅଙ୍କ-ପଲଙ୍କେ

ହୋଇ ପ୍ରେମେ ମତିଭୋଳା ।୯।

ଅରଜି ନ ପାରି

ସୁଖ ଶାନ୍ତି ଧନ

ରତନ ପୂରିତ ପୁରେ,

ବରଜିଲ ଏବେ

ସତେ କି ସଜନି !

ବଇଭବ ଅକାତରେ ।

ସରଜିବା ଆଶେ

ସୁରସ କେଳି କି

ହେଲ ଏବେ ଉନ୍ମାଦିନୀ,

ତରଜିବା ଲାଗି

ଦରପକ ଦାଉ

ଆସିଲ ମୋ ପାଶେ ଧନି !

ମରଜି କଷୁଛ ମୋର,

ଜର ଜର ହୋଇ

କାମ ବାଣେ ଏବେ

ଲୋଡ଼ କି ତା’ ପ୍ରତିକାର ।୧୦।

ବରତି ନ ପାର

ମିତଣି କି ସତେ

ପିକ ମଧୁ କୁହୁ ତାନେ,

କରତି ଦିଏ କି

ଛାତି ରତିପତି

ଅତି ରୋଷେ ଫୁଲବାଣେ ।

ପୀରତି ଲାଳସେ

କ୍ଷତିମଣ୍ଡନା ଗୋ

ସତେ ଆସିଅଛ ଧାଇଁ,

ମୂରତି ତୁମର

ଦିଶେ ଗୋ ପାଣ୍ଡୁର

କହ ସହି କାହିଁ ପାଇଁ,

ସୁରତି ଇଚ୍ଛିଣ ଚିତ୍ତେ,

ଭାରତୀ ନ କହି

ଦୋହଲାଇ ତନୁ

କଟାକ୍ଷ ହାଣୁଛ ମୋତେ ।୧୧।

ବଦନ ତୁମର

କିଆଁ ଗୋ ସଜନି !

ଘନ ଘନ ଉଠେ ଥରି,

ବଦନ ଛଟକେ

ବିରହୀ ପରାଣେ

ପୁଲକାଇ କିଆଁ ଗୋରି !

ମଦନ ବାଣେ କି

ଘୂରିଗଲା ମଥା

ନ ପାରିଲ ଆଉ ରହି,

ସଦନ ବରଜି

ପ୍ରେମ-ପାଗଳିନୀ

ଆସିଲ ମୋ ପାଶେ ଧାଇଁ,

ବଂଧନ ସବୁରି ତେଜି,

ରଦନ ପ୍ରକାଶେ

ଆଗମିଲ ଏଥେ

ପୂରୁବ କଥାକୁ ହେଜି ।୧୨।

ଦର ଦର ହାସେ

ଆସ କି ମୋ ପାଶେ

କେଳିସୁଖ ମନେ ଭାଳି,

ଝର ଝର ଆହା

ଆନନ୍ଦାଶ୍ରୁ ଆଜ

ନୟନୁଁ ଦିଅ ଗୋ ଢାଳି ।

ଥର ଥର କିଆଁ

ଅବୟବ ତବ

କୁହ ଗୋ ପ୍ରେୟସୀ ମୋର,

ତର ତର ହୁଅ

ତରସ୍ତ ପରାଣେ

ବକ୍ଷସ୍ଥଳେ ରଖି କର,

ବରବରନା ରେ ଆଜି,

ଜର ଜର ହୋଇ

ହରପର ଶରେ

ଆସିଲ ସୁତନୁ ସାଜି ।୧୩।

ଚମ୍ପକ ବରନା

ସୁଦୀର୍ଘ ବିରହେ

ଅଙ୍ଗ କିବା ଉଚ୍ଚାଟନ,

କମ୍ପିତ ଅଧରେ

ଲୋଡ଼ୁଅଛ ତେଣୁ

ମୋହର ଚୁମ୍ବନଦାନ ।

ସମ୍ପଦ ଲାଳସା

ମନୁଁ ତେଜି ତେଣୁ

ଆସିଲ ଦୀନ କୁଟୀରେ,

ଲମ୍ଫ ଦେବା ଲାଗି

ଏ ଦରଦୀ ବୁକେ

ପ୍ରସାରୁଛ ବାହୁ ଧୀରେ,

ସମ୍ପୁଟକ ପୟୋଧରା,

ଦାମ୍ପତ୍ୟ ପ୍ରଣୟ

 

କବା ମଧୁମୟ

ସଂପ୍ରତି ହେଜିଲ ପରା ।୧୪।

ବସି ବସି କେତେ

ନିଶି ପୁହାଇ ଗୋ

ଏକାକିନୀ ଫୁଲଶେଯେ,

ଆସିଲ ମୋ ପାଶେ

ଯୋଷାବର ଏବେ

ବିଶ୍ୱାସ ନୁହଇ ଏ ଯେ,

ହସି ହସି କିଆଁ

ଢାଳ ଅବିରତ

ସରମବୋଳା ଚାହାଣି,

ଖସି ଖସି ଯାଏ

ପିନ୍ଧାବାସ ତବ

ଅଙ୍ଗୁ କିଂପାଇ ଗୋ ଧନି !

ରସିକା ରେ ତୋତେ ହେରି,

ଭାସି ଭାସି ଯାଏ

ଅତୀତ ପ୍ରଣୟ

କଥା ମୋର ମନେ ଗୋରି ! ।୧୫।

 

ମହୀମଣ୍ଡନାରେ

ଚାହିଁ ଚାହିଁ ପଥ

ନ ପାଇଲ ଭେଟ ମୋର,

ଦହି ଦେଲା ତନୁ

ସତେ କି ସଜନି !

କାମ ଦେଇ ଦୁଃଖ ଘୋର ।

ବହି ହୃଦେ ଏବେ

ପ୍ରଣୟ ବାସନା

ଆସିଲ କି ମୋର ପାଶେ,

ରହି ରହି ଦୁଃଖେ

ଏକାକିନୀ ଏବେ

ଲୋଡ଼ କାମତାପ ନାଶେ,

କହି ତ ନ ପାର କଥା,

ପାହିଯାଏ ବୋଲି

ଏ ମଧୁ ଯାମିନୀ

ହୁଅ କି ଗୋ ବିଚଳିତା ।୧୬।

ମୀନନୟନା ରେ

ବିନାଶନ ଆଶେ

ଘୋର ବିରହ ତପତି,

ଝୀନ ବାସ ଖୋଲି

ପୀନ ପୟୋଧରେ

ଅରପ ମୋରେ ଝଟତି ।

ଛିନ୍ନ କରି ଏବେ

ସକଳ ବନ୍ଧନ

ତୁଚ୍ଛ ମଣି ଧନରତ୍ନେ,

ଦୀନ କବିରେ ଗୋ

ଅରପୁଛ ତନୁ

ସାଇତି ଥିଲ ଯା’ ଯତ୍ନେ,

ବିନୟ ବଚନ ଛଳେ,

ଲୀନ ହେବା ଲାଗି

ପ୍ରଣୟ-ସାଗରେ

ଲୋଟିଛ ମୋ ପଦତଳେ ।୧୭।

ଅଧୀରା କିଆଁ ଗୋ

ବିରହ-ବିଧୂରା

ସଧୀରେ ଶୁଣ ମୋ ବାଣୀ,

ବିଧିର ବିଧାନ

କେ କରିବ ଆନ

ନ ଶୋଚ ଗୋ ଚନ୍ଦ୍ରାନନି !

ରୋଧିଲା କେ ତବ

ଆଗମନ ପଥ

ଏ ଅବଧି ଥିଲ କାହିଁ,

ବାଧିଲା ପରାଣେ

ସଜନି ! କି ଏବେ

ନିଃସଙ୍ଗ ଜୀବନେ ରହି,

ବଧିରା ଥିଲ କି ପ୍ରିୟା,

ମନ୍ଦିର-ମୂର୍ଚ୍ଛନା

ତୋଳେ ଯା ଏ ପାରେ

ଆଲୋଡ଼େ ନା ତବ ହିଆ ।୧୮।

ସୁର ସୁନ୍ଦରି ଗୋ !

ଆଗମିଲ ପାଶେ

ବରଜି ସକଳ ଆଶା,

ପୁରୋଭାଗେ ମୋର

ଲାଜ କରି କିଆଁ

ସଜସରସିଜ ଦୃଶା ।

ମୁରୁଛି ନ ପାର

ସତେ କି ମାନସୁଁ

ମଧୁର ପ୍ରଣୟ ସ୍ମୃତି,

ଦୁରୁଗମ ପଥେ

ଆଗମିଲ ପ୍ରିୟା !

ନ ଜାଗିଲା ମନେ ଭୀତି,

କୁରଂଗ-ନୟନା ସତେ,

ଜୂର କରି ମୋର

ବିବେକ, ପୂରଣ

କରିବ କି ମନୋରଥେ ।୧୯।

ବୁହାନା ବୁହାନା

ବାରିଜାକ୍ଷି ! ବାରି

ବାରେ ଗୋ ଆଉ ମୋ ପୁରେ,

ରୁହନା ରୁହନା

ସଜନି ! ମୋ ପାଶେ

ଯାଆ ଦୂରେ, ବହୁ ଦୂରେ,

କୁହନା କୁହନା

ଶ୍ରବଣେ ମୋହର

ଅଭିମାନ ଭରା ବାଣୀ,

ଚାହଁନା ଚାହଁନା

ତୁହାଇ ତୁହାଇ

କୁଟିଳ କଟାକ୍ଷ ହାଣି,

ଗୁହାରି ନ କର ଗୋରି !

ପୁହାଏ ମୁଁ ନିଶି

କାବ୍ୟ-ପ୍ରିୟା ତୁଲେ

କରିଛି ସେ ଚିତ୍ତ ଚୋରି ।୨୦।

Image

 

କୁହୁକିନୀ

 

କଳସୀ କାଖେ ଧୀରେ

ଅଳପ ବୟସୀରେ !

ଚଳ ଗୋ ପୁରେ ଜଳ ଘେନି

ଢଳ ଢଳ ନୟନେ

ଦୋଳାଇ ଅପଘନେ

ଚାହଁ କିଆଁ ଗୋ କୁହୁକିନୀ ।୧।

ଏହି ତଟିନୀ ତଟେ

ସହି ରେ ନିତି ଭେଟେ

କହି ନପାରେ ମନକଥା,

ଦହି ଦିଏ ମୋ ତନୁ

ବହି କ୍ରୋଧ ଅତନୁ

ବିରହୀ ପ୍ରାଣେ ଜାଗେ ବ୍ୟଥା ।୨।

ଆନ କେ ଅଛି ଗୋରୀ

ମାନସୀ ରେ ତୋ ପରି !

ଦାନ କରିବ ପ୍ରେମରସ,

ପାନ କରି ମୁଁ ଭୋଳେ

ଗାନ ତୋଳିବି ହେଳେ

ପାଶୋରି ଦୁଃଖ ଅହର୍ନିଶ ।୩।

ତର ତର ଅନାଇ

ଥରକୁ ଥର ସହି

ସରମବୋଳା ଦୃଷ୍ଟି ଢାଳି,

ଦରହାସ ଫୁଟାଇ

ଅଧରେ ପ୍ରିୟସହି

ମରମ ମୋର ଦିଅ ଜାଳି ।୪।

କନକ ଗୋରି ! ତୋର

ଝନ ଝନ ନୂପୁର

ମନ ନିଏ ଗୋ ମୋର କିଣି,

ଛନ ଛନ ପରାଣେ

ଅନାଇ ଏଣେ ତେଣେ

ଖୋଜୁ କି ମୋତେ ଚନ୍ଦ୍ରାନନି ।୫।

ସଙ୍ଗେ ତୋ ନାହିଁ କେହି

ରଙ୍ଗେ ଯାଉ ରେ ତୁହି

ଚଙ୍ଗ ଚଙ୍ଗ କିଆଁରେ ଗୋରି !

ଅଙ୍ଗ ମୋ ଉଚ୍ଚାଟନ

ଭଙ୍ଗ ମୋର ଧିଆନ

ହେଲା କିଆଁ ଗୋ ତୋତେ ହେରି ।୬।

ଶାଢ଼ୀଟି କିବା ରଙ୍ଗେ

ବେଢ଼ି ଯତନେ ଅଙ୍ଗେ

ଭିଡ଼ି ରଦନେ ପିନ୍ଧାବାସ,

ପଡ଼ିଲେ ମୋ ନୟନ

ଛାଡ଼ିଯାଏ ପରାଣ

ଲୋଡ଼େ ମୁଁ ତୋ ମଧୁପରଶ ।୭।

ପ୍ରିୟା ଗୋ ତୋତେ ହେରି

ହିଆ ମୋ ଉଠେ ଥରି

ଧିଆନ ଯାଏ ମୋର ଭାଜି,

ଠିଆ ହୋଇ ମୁଁ କ୍ଷଣେ

ଭାଳେ ବିରସ ମନେ

ଖିଆଲ ପଡ଼େ ଯେବେ ଆଜି ।୮।

କାଞ୍ଚନ ଗୋରି ! ତୋର

ଘଞ୍ଚ କୁଚଯୁଗଳ

ସୁସଞ୍ଚ ବସ୍ତ୍ରାଞ୍ଚଳ ଭେଦି,

ଚାଞ୍ଚଲ୍ୟ ଆଣେ ପ୍ରାଣେ

କିଞ୍ଚିତେ ତା’ ଦର୍ଶନେ

ଗତିପଥ ମୋ ହୁଏ ରୋଧି ।୯।

ତୃଷିତ ପ୍ରାଣେ ଯୋଷା

ପୋଷିଛ ହୃଦେ ଆଶା

ଘୋଷିଣ ମୋହନ ମନ୍ତର,

ତୋଷିବାକୁ ମୋ ମନ

ଖୋସିଛ କି ବହନ

ଗଭାରେ ସଜମଲ୍ଲୀହାର ।୧୦।

ଦେଖିଲେ ତୋତେ ନେତ୍ରେ

ସଖି ମୋ ଚଲାପଥେ

ଲାଖି ରହେ ସେ ରୂପ ମନେ,

ଆଖି ଆଗେ ସେ ଭାସି

ବିକ୍ଷିପ୍ତ ଚିତ୍ତ ନିଶି

ଦିବସ ହୁଏ ତା’ ଚିନ୍ତନେ ।୧୧।

ଚାରୁହାସୀ ଗୋ ପ୍ରିୟେ !

ସରୁ ଭ୍ରୂଲତା ଦ୍ୱୟେ

କାରୁଣ୍ୟ ଦୃଷ୍ଟି ଢାଳି ବାରେ

ଘାରୁ କିଆଁ ମୋ ମନ

ଦାରୁଣ ଦୁଃଖ ପୁଣ

ଦେଇ ଏ ଦରଦୀ ଅନ୍ତରେ ।୧୨।

କିଶୋରୀ ଗୋ ମୁଁ ତୋତେ

ପାଶୋରିଲେ ହେଁ ଯେତେ

ଭାସ ତେତେ ମୋ ହୃଦାକାଶେ,

ସୁକେଶୀ କିଆଁ ଏତେ

ଆସି ମୋ ଚଲା ପଥେ

ବସ ଅନାଇ ଦୀର୍ଘଶ୍ୱାସେ ।୧୩।

ବାରି ବୁହାଇ ନେତ୍ରେ

ନାରୀରତନ ସତେ

ଘାରି ହୁଅ କି କାମବାଣେ,

ଚାରି ଚକ୍ଷୁ ମିଳନେ

ଠାରି ନୟନ କୋଣେ

ଛୁରୀ ମାର ଗୋ ଏ ପରାଣେ ।୧୪।

ରମଣୀବର ତୋର

ଗମନ କି ସୁନ୍ଦର

ନମିତ ମୁଖେ ଯାଉ ଧୀରେ

ଝମ ଝମ ତୋ ବଳା

ଚମକ ଦିଏ ବାଳା

ଯମକେ ବାଜି ତୋ ପୟରେ ।୧୫।

ଗୋରୀ ରେ କିଆଁ ପୁଣ

ଚୋରି କରୁ ମୋ ମନ

ତୋରଣ ପାଶେ ହୋଇ ଉଭା,

ଧୀରେ ଠାରି ନୟନେ

ନିରେଖି ଏକଧ୍ୟାନେ

ବିରହ ବ୍ୟଥା କହୁ ଅବା ।୧୬।

ନିତି ନିତି ଗୋ ତୁହି

ପ୍ରୀତି ମନେ ପକାଇ

ଭୀତି ତେଜିଣ ମନୁଁ ତୋର,

ମିତଣି ! ଆସୁ ଚାଲି

ବିତି ଯାଏ ଗୋ ବୋଲି

ଅବା ଏ ବସନ୍ତ ମଧୁର ।୧୭।

ଜାଣୁ କି ଗୋ କୁହୁକ

ଆଣୁ ମୋ ହୃଦେ ଦଳ

ଟାଣ ମୋହର ଯାଏ ଭାଙ୍ଗି,

ବାଣୀ ତୋ କି ମଧୁର

ଆଣେ ଉଲ୍ଲାସ ତୋର

ଠାଣି ମୋ ଅଙ୍ଗେ ଗଉରାଙ୍ଗି ! ।୧୮।

ଓଢ଼ଣା ତଳୁଁ ଧୀରେ

କାଢ଼ି ବଦନ ଥିରେ

ଘଡ଼ି ଘଡ଼ି କିଆଁ ରେ ବାଳା,

ଆଡ଼ ଆଖିରେ ମୋରେ

ତଡ଼ିତ ତୁଲ୍ୟ ଥରେ

ଚାହିଁ ଫେରାଉ ପୁଣି ଡୋଳା ।୧୯।

ପତି ସୋହାଗ ଲାଗି

ମତି ଉଠିଲା ଜାଗି

ଅତି ବିରହ ଦୁଃଖ ସହି,

ରତିନାୟକ ବାଣ

ଭାଙ୍ଗିଲା ମନଟାଣ

କତିକୁ ଡାକୁ ତେଣୁ ରହି ।୨୦।

Image

 

ଯକ୍ଷ ଆରେ ମୁଁ ଯକ୍ଷ

 

ଯକ୍ଷ ଆରେ ମୁଁ ଯକ୍ଷ,

ବକ୍ଷେ ମୋହର ଲକ୍ଷ ବେଦନା

ଛିଡ଼ିଛି ମୋ ଆଶା-ପକ୍ଷ ।

ମଉଳିଛି ମୋ ମଧୁର-ପ୍ରଣୟ-ଲଗ୍ନ,

ହୃଦୟ-ବୀଣା ମୋ ଯୁଗପତ୍ ଆଜି ଭଗ୍ନ,

ସର୍ପିଣୀ ଅଭିଶାପେ,

ଦୁଃଖେ ଜୀବନ ଯାପେ,

ଯୁବତୀ ପ୍ରିୟା ମୋ ଦୂରେ ଆଜି ବହୁଦୂରେ,

ହୃଦୟ-ତନ୍ତ୍ରୀ ବିଳପେ କରୁଣ ସୁରେ,

ନାହିଁ ମୋ ମାନସେ ଶାନ୍ତି,

ଲୁଟିଛି ଦଇବ ହର୍ଷ ମୋହର

ତୁଟିଛି ଅଙ୍ଗୁ କାନ୍ତି;

ଘୂରି ବୁଲେ ମୁହିଁ ତାରକା ଯେହ୍ନେ

ବିଚ୍ୟୁତ ହୋଇ କକ୍ଷ;

ଯକ୍ଷ ଆରେ ମୁଁ ଯକ୍ଷ ।୧।

ପ୍ରିୟା ନାହିଁ ପାଶେ କାହା ଭୁଜେ ମୋର

ଭୁଜକୁ ଦେବି ରେ ଛନ୍ଦି,

ଚିନ୍ତା ରାଜ୍ୟ- କାରାଗାରେ ମୋର

ମାନସ ହୋଇଛି ବନ୍ଦୀ,

ଅମ୍ବୁଜ ସମ ନେତ୍ର ଯୁଗଳେ ତା’ର,

ବହୁଥିବ ସଦା ଉଷ୍ଣ ଅଶ୍ରୁଧାର,

ବିରହ-ବିଧୁରା ପ୍ରିୟା ମୋ ପ୍ରଣୟ-ଲଗ୍ନା,

ହେବଣି ଚିନ୍ତା ଅଗାଧ ସଲିଳେ ମଗ୍ନା,

ଦୀର୍ଘ ଦିବସ ରଜନୀ,

ଯାପିବ କେସନେ ସଜନି,

ମନ୍ଦ ଦଇବ ଛନ୍ଦ ବିରଚି

ହେଲା ଆସି ପ୍ରତିପକ୍ଷ;

ଯକ୍ଷ ଆରେ ମୁଁ ଯକ୍ଷ ।୨।

ଅଙ୍ଗ ମୋହର ଦୁର୍ବଳ ଆଉ କ୍ଷୀଣ,

ଭଙ୍ଗ ସରାଗ ଚିନ୍ତାରେ ଗଲା ଦିନ,

ତନ୍ୱୀ, ସୁଶ୍ରୀ, ସୁକୁମାରୀ ମୋର ବାଳା,

ସହିବ କେସନେ ବିରହ ଗରଳ ଜାଳା,

କମ୍ବୁକଣ୍ଠୀ ସହି ଏ ଦୁଃଖ ଘୋର,

ବଞ୍ଚିବ ସତେ ? ପରତେ ନ ହୁଏ ମୋର,

ମନ୍ମଥର ଏ ଦାଉ

ସଂଭାଳିବ କେ ଆଉ

ଆନ କେଉଁ ନାରୀ ହେବ କି ଜଗତେ

ମୋ ସଜନି ସମକକ୍ଷ;

ଯକ୍ଷ ଆରେ ମୁଁ ଯକ୍ଷ ।୩।

ବିରହେ ମୋର ଯେ ଦିନକୁ ମଣଇ ବର୍ଷ,

ଏତେଦିନେ ଥିବ ମନେ କି ତାହାର ହର୍ଷ,

ଭାଜି ପଡ଼ୁଥିବ ଚିନ୍ତାରେ ମୋର ସହି,

ବନ୍ଦିନୀ ସମ ଏକାକିନୀ ପୁରେ ରହି,

ଦୁଃଖରେ ଯେବେ ଅନ୍ତର ହେବ ହାଣି,

କା ଆଗେ କହିବ ତାହାର ମର୍ମବାଣୀ;

ଉଷ୍ଣ ଲୋତକଧାର

ପୋଛିବ ପଣତେ ତା’ର

ସର ଲବଣୀକୁ ଫିଙ୍ଗି ସେ ରୋଷେ

ଗରଳେ ମଣିବ ଭକ୍ଷ୍ୟ;

ଯକ୍ଷ ଆରେ ମୁଁ ଯକ୍ଷ ।୪।

ବଧୁଲି ଅଧରେ ମଧୁର ବଚନ ଛଳେ,

ଆଙ୍କିବି କେବେ, ଚୁମ୍ବନ କୁତୂହଳେ,

ପାଶୋରିବି ମୋର ସକଳ ଦୁଃଖ, ଦୈନ୍ୟ,

ମଣିବି ନିଜକୁ ରସିକଜଗତେ ଧନ୍ୟ;

ତୋଳି ତଳୁଁ କୋଳେ

ବସାଇବାର ସେ ଛବି,

ବର୍ଣ୍ଣି ପାରିବ

କହ ଅବା କେଉଁ କବି ?

ରସବତୀ ପ୍ରିୟା ବିନା,

ସ୍ୱପ୍ନ ସବୁ ଏ ସିନା !

ଧ୍ରୁବତାରା ସେ ଯେ ମୋ ହୃଦ-ଆକାଶେ

ତା ବିନୁଁ ଭ୍ରଷ୍ଟ ଲକ୍ଷ୍ୟ;

ଯକ୍ଷ ଆରେ ମୁଁ ଯକ୍ଷ ।୫।

ଭଗ୍ନକୁଟୀର ମୋର ‘‘ରାମଗିରି’’ ଶୃଙ୍ଗ,

ଚୌଦିଗେ ଛାଏ ଦୁଃଖ ବଉଦ ତୁଙ୍ଗ,

ଶଙ୍କା ଉପୁଜେ

ଚିତ୍ତ-କୁହରେ ମୋର,

ବଞ୍ଚିବ କି ସେ

ସହି ଏ ଦୁଃଖ ଘୋର,

ଶଯ୍ୟାଶାୟିନୀ

ହେବ ସେ ବର୍ଷ ତେଜି,

ଚାହିଁଥିବ ପଥ

ସଙ୍ଗମ ମୋର ହେଜି,

ଦୁଃଖେ ମୋ ନବକାମିନୀ,

ଯାପିବ ଦୀର୍ଘ ଯାମିନୀ,

ଦୁର୍ବାର ସେହି ମନ୍ମଥ ବାଣେ

କଂପୁଥିବ ତା ବକ୍ଷ;

ଯକ୍ଷ ଆରେ ମୁଁ ଯକ୍ଷ ।୬।

ଚମ୍ପାବରନୀ

ଅଙ୍ଗ ହେବଣି ଫିକା,

ଚିତ୍ତପୁରେ ତା’

ମାନସ ମୋହର ବିକା,

ଚଣ୍ଡ ଦଇବ ଅକାଳେ ଦେଲା ରେ ଦଣ୍ଡ,

ମଣ୍ଡିବି ସତେ ଚୁମ୍ବନେ ପ୍ରିୟାଗଣ୍ଡ !

ଉନ୍ମତପୟୋଧରା ମୋ ନମ୍ରଗାତ୍ରୀ,

ସେହି ମୋ ହର୍ଷ, ଶାନ୍ତି, ମୁକ୍ତି ଦାତ୍ରୀ;

ସେ ଯେ ମୋ ପ୍ରଣୟ-ବନ୍ୟା,

ରମଣୀଜଗତେ ଧନ୍ୟା,

ନ ପାଏ ଭାଷା ତାରୂପବର୍ଣ୍ଣନେ

ହୁଏ ପଛେ ଯେଡ଼େ ଦକ୍ଷ;

ଯକ୍ଷ ଆରେ ମୁଁ ଯକ୍ଷ ।୭।

ବର୍ଷ ପୂରିବ

ଆଉ ଚାରି ମାସ ପରେ;

ହର୍ଷ ଲଭିବି

ପ୍ରିୟାକୁ ପାଇ ମୁଁ ଖରେ,

ଖଣ୍ଡନ ହେବ

ଦୁର୍ବାର ଅଭିଶାପ,

ଘୁଞ୍ଚିବ ମୋର

ସକଳ ହୃଦୟ ତାପ;

ସଦ୍ମେ ଭେଟିବି ପଦ୍ମନୟନା ମୋର,

ପାଶୋରି ଦେବି ଏ ବିରହ ଦୁଃଖ ଘୋର;

କାନ୍ତାକୁ ଥାପି କୋଳେ,

ବଞ୍ଚିବି ନିଶି ଭୋଳେ,

ଲୋଡ଼େ ନା ତୁଚ୍ଛ ଧନ ବା ରତ୍ନ

ଇଚ୍ଛେ ସଜନି-ସଖ୍ୟ;

ଯକ୍ଷ ଆରେ ମୁଁ ଯକ୍ଷ ।୮।

Image

 

କଳ୍ପନା କୁଞ୍ଜେ

 

କଳ୍ପନାର ଏ କୁଞ୍ଜେ ବସି ମୁଁ

ବିଜନେ ଦରଦୀ କବି,

ଅଙ୍କେ ଥାପି ମୋ କାବ୍ୟ ନାୟିକା

ଆଙ୍କେ ବିରହ ଛବି ।

ଦିନ ପରେ ଦିନ ମାସ ପରେ ମାସ

ଯାଏ ଗୋ ବିତି,

ସଜନି ଅଙ୍ଗ ସଙ୍ଗଲାଗି ମୁଁ

ଝୁରଇ ନିତି,

ହାୟରେ ହାୟ !

ଶୀର୍ଣ୍ଣକାୟ,

ପତ୍ନୀ ଲାଗି,

ମର୍ମେ ବେଦନା ଉଠଇ ଜାଗି,

ମନ୍ଦ ବିହି

ଏହା କି ଥିଲା ମୋ ଭାଗ୍ୟେ ଲିହି ? ।୧।

ଯଉବନ ହେଲା ବ୍ୟର୍ଥ ମୋହର

ଗଲା ରେ ଦିନ,

ପ୍ରିୟା ମିଳନର ଚିନ୍ତାରେ ସଦା

ହେଲି ମୁଁ ଲୀନ,

ବଞ୍ଚି ରହିବି ଆଉ ମୁଁ କିଆଁ,

ଜଳେ ଅବିରତ ଅନ୍ତରେ ଯେବେ

ବିରହ-ନିଆଁ ।

ଯୁବତୀ ପ୍ରିୟାର ସଙ୍ଗ ତେଜି,

ରଖିବି ପରାଣ କି ସୁଖ ହେଜି,

ନବ ଯଉବନୀ ସୁଶ୍ରୀ ବାଳା,

ପିଣ୍ଡେ ପରାଣ, ବକ୍ଷେ ମାଳା,

ବିରହେ ତା’ର

ଅଶ୍ରୁଧାର,

ଯାଏ ମୋ ବହି,

ଏ ଗୁରୁ କଷଣ ନପାରେ ସହି,

କା’ ଆଗେ ଦୁଃଖ କହିବି,

ନିରୁପାୟ ହୋଇ ସିନା ଏ ଦଣ୍ଡ ସହିବି ।୨।

ଜଳେ ଅହରହ ବିରହ-ବହ୍ନି

ବିସ୍ତାର କରି ଶିଖା’

ଉଚ୍ଚ ଆଶାର ରକ୍ତିମା ସବୁ

ପଡ଼ିଛି ତା’’ ପାଶେ ଫିକା ।

ଦିନ ପରେ ଆସେ ରାତି,

ମନେ ପଡ଼େ ମୋର ସାଥି,

ତୁଟିଛି ଜୀବନରଙ୍ଗ,

ସଙ୍ଗ ହୋଇଛି ଭଙ୍ଗ

କେବଳ କାବ୍ୟ ନାୟିକା ଅଙ୍କେ ଥାପି,

ପାରିବି କି ମୋ ଦୁର୍ବହ କାଳ ଯାପି,

କଳ୍ପନାର ସେ ଛନ୍ଦେ ଛନ୍ଦେ

ପ୍ରିୟାର କଥା,

ଉଙ୍କି ମାରି ମୋ ଚିତ୍ତଗହନେ

ଦିଏ ଗୋ ବ୍ୟଥା ।

ଜୀବନ ବୀଣାର କରୁଣ-ତନ୍ତ୍ରୀ

ଉଠେ ମୋ ଥରି,

ଅଙ୍ଗ ଘଟୁଁ ମୋ ଆୟୁଷ-ସଲିଳ

ପଡ଼େ ଗୋ ଝରି ।୩।

ଜ୍ୟୋଚ୍ଛନା-ଧଉତ ଶୁକ୍ଲ ପକ୍ଷ

ମଧୁର ନିଶି,

ଚନ୍ଦ୍ରମା ଛଳେ ପ୍ରିୟା ମୁଖ ଛବି

ଯାଏ ଗୋ ଦିଶି ।

କମ୍ପେ ଛାତି,

ଦୂରେ, ବହୁଦୂରେ ପରାଣସାଥି ।

କୋକଦମ୍ପତି କରୁଣ ଶବ୍ଦ ଶୁଣି,

ମାନସେ ତାଙ୍କ ବିରହ ଦୁଃଖ ଗୁଣି,

ଶୂନ୍ୟ ଲାଗେ ଏ ବିଶ୍ୱ,

ମଣଇ ନିଜକୁ ନିଃସ୍ୱ;

ଛିଡ଼େ ମୋର ଆଶା-ପକ୍ଷ,

ଭ୍ରଷ୍ଟ ହୁଏ ମୋ ଲକ୍ଷ୍ୟ;

ଭାସି ଉଡ଼େ ମନ

ଅଜଣା ରାଇଜ ପାରେ,

କଳ୍ପନାରଥ

ଆରୋହଣ କରି ବାରେ ।୪।

ସଙ୍ଗହୀନ କେ ପକ୍ଷୀ ବିଳପି

କରୁଣ ସୁରେ,

ଖୋଜେ ତା’ର ସାଥି ଅସୀମ ବେଦନା

ଥାପି ତା’ ଉରେ ।

କମ୍ପଇ ଦିଗମାନ,

ତୋଳେ ସେ କରୁଣାଗାନ;

ନୀଡ଼ ପାଶେ ସିନା

ଉଦ୍‌ବେଗେ ଯାଏ ଧାଇଁ,

ପ୍ରିୟାର ଅଙ୍ଗ

ସଙ୍ଗ ଲଭିବା ପାଇଁ,

ପଥହରା ମୁହିଁ ସିନା,

ପ୍ରିୟାର ସଂଗ ବିନା,

କଳକଳ ନାଦେ

ତଟିନୀ ଯାଏ ଗୋ ବହି,

ନିର୍ଜନେ ବସି

ଦେଖେ ସେ ଦୃଶ୍ୟ ରହି ।୫।

ଆମ୍ର ବକୁଳ ଗହଳେ କୋକିଳ

ମଉନେ ରହି;

ପଞ୍ଚମ ତାନେ ‘କୁହୁ’ ‘କୁହୁ’ ବାଣୀ

ଯାଏ ଗୋ କହି ।

ପିକ ଡାକେ ରହି ରହି,

ବେଦନା ନ ହୁଏ କହି,

ଶାଣିତ ଅସ୍ତ୍ରେ

ବକ୍ଷ ଛେଦନ ଭଳି,

‘‘କୁହୁ’’ ବାଣୀ ମୋର

ମର୍ମେ ଯାଏ ଗୋ ଗଳି ।

ମନେ ପଡ଼େ ଯେବେ ପ୍ରିୟତମା ହୃଦ

ହୁଅଇ ହାଣି,

ପିକ ବାଣୀଠାରୁ ସୁମଧୁର ତା’ର

ସରମ ବାଣୀ ।

ହୃଦୟ-ତନ୍ତ୍ରୀ ଥରେ,

ପ୍ରିୟା ଲାଗି ଝୁରି ମରେ ।୬।

ସୁବାସିତ କେତେ ସୁମନେ ପୂରିତ

ମୋର ଏ କୁଞ୍ଜ,

ଚଉଦିଗେ ଆହା ବେଢ଼ି ଥାନ୍ତି ସେ

ଭ୍ରମର ପୁଞ୍ଜ,

ମନ୍ଦସମୀରେ ପୁଷ୍ପ ଦୋହଲୁ ଥାଏ,

ଅଳି ଗୁଂଜନେ ସତେ କି ଲଜ୍ଜା ପାଏ,

ମଧୁ ଗୁଂଜନଛଳେ,

ଚାଟୁ ବାଣୀ କହି ଅଳି ସତେ ଅବା

ଲୋଟେ ତା’ ପୟର ତଳେ ।

ଦର୍ଶନେ ତାହା ମାନସେ ଜାଗେ ମୋ

ଅତୀତ କଥା,

ଚୁମ୍ବନ କାଳେ ସରମ ବୋଳା ତା’

‘‘ନାହିଁ ଯା’’ କଥା ।

ତା ବିନୁଁ ଜଗତ ଶୂନ୍ୟ ସିନା ମୁଁ ମଣେ,

ଆଶ୍ୱାସିବାକୁ ନାହିଁ ମୋର କେହି ଜଣେ,

ସେ ମୋ ଜୀବନର ସାହା

ତା ବିନୁଁ ନ ପାଏ ରାହା ।୭।

ଜୀବନ- ପାତ୍ରୁଁ ଯଉବନ-ମଧୁ

ପଡ଼େ ରେ ଝରି,

ଅକାଳେ ମୋହର ମନକପୋତଟି

ଯାଏ ରେ ମରି ।

କାହିଁ ରେ କାହିଁ,

ଆଉ କି ପ୍ରିୟାକୁ ପାଇବି ନାହିଁ ।

କଳପନାର ଏ କୁଞ୍ଜେ ବସି ମୁଁ

ନୀରବେ ସିନା,

ରଚଇ କବିତା ବିଜନେ ଯୁବତୀ

ପ୍ରିୟାର ବିନା ।

କହ ରେ ଦଇବ ! କାହା ପାଇଁ ମୁହିଁ

ଦୁର୍ଦ୍ଦିନେ ଆଉ ବଞ୍ଚିବେ,

ଶରୀର-ପାତ୍ରେ ଆୟୁଷ-ସଲିଳ

କାହା ପାଇଁ ଆଉ ସଞ୍ଚିବି ।୮।

Image

 

ସପ୍ତ ସ୍ମୃତି

ପ୍ରିୟାକୁ ତେଜି ଯେବେ ବିଦେଶେ ରହେ,

ସପତ ସ୍ମୃତି ମୋର ପରାଣେ ଦହେ ।

ଆଦ୍ୟ ଭେଟେ ମୋ ଜୀବ-ସଙ୍ଗିନୀ ସାଥେ,

ଚିର ଇପ୍‌ସିତ ସେହି ବାସର-ରାତେ ।

ନିଶୀଥେ ପ୍ରିୟା ଯେବେ ଆସିଲା ପୁରେ,

ଅକୁହା ପୁଲକ ମୋ ଜାଗିଲା ଉରେ ।

ଥରେ ମାତର ଦୃଷ୍ଟି ମୋତେ ନ ଢାଳି

ଗୃହକୋଣେ ମଉନେ ବସିଲା ବାଳୀ ।

ବସ୍ତ୍ର-ବଉଦେ ମୁଖ-ଚନ୍ଦ୍ରମା ଢାଙ୍କି

ଦେଲା ମୋ ହୃଦେ ମଧୁ ଛବି ସେ ଆଙ୍କି ।

ତଳୁଁ ମୁଁ ତଳପକୁ ତୋଳିଲା ବେଳେ,

ନ ରଖିଲା ମୋ କଥା ସଜନି ହେଳେ ।

ଯେତେ ଚାଟୁ କହିଲି ମୋ କମ୍ବୁ-କଣ୍ଠୀ

ନ ଫିଟାଇଲା ତା’ର ଗୁମାନ-ଗଣ୍ଠି ।

କୋମଳ ଗଣ୍ଡେ ଲିହି ଚୁମ୍ବନପାନ,

ସରାଗେ ଭୁଞ୍ଜାଇଲି ତାହାକୁ ପାନ ।

ପୁଲକେ ଥରିଗଲା ଏ ମୋର ତନୁ

ଆହା ସେ ମଧୁସ୍ମୃତି ନ ଯିବ ମନୁଁ ।୧।

ଅଳପ ଦିନ ଗଲା ଏସନ ବିତି,

ପ୍ରିୟା ଗହଣେ ନିଶି ପୁହାଏ ନିତି

ହସି ଉଠିଲା ମୋର ଗୃହ ଅଚିରେ

କମଳା ବିଜେ ମୋର ଦୀନ କୁଟୀରେ ।

ନ ପୂରୁଣୁ ମାତର ଗୋଟିଏ ମାସ,

ଜଇଷ୍ଠ ପୂର୍ଣ୍ଣମୀର ହେଲା ପ୍ରକାଶ ।

ପୂର୍ଣ୍ଣମୀ ଆମନ୍ତ୍ରଣ ଆସିଲା ଯେଣୁ

ପିତୃ ସଦନେ ପ୍ରିୟା ଚଳିଲା ତେଣୁ ।

ଆମନ୍ତ୍ରିତ ଜାମାତା ରୂପେ ସନ୍ଧ୍ୟାରେ

ଚଳିଲି ପ୍ରିୟା ପୁରେ ହରଷେ ବାରେ

ପ୍ରିୟା ସଦନେ ତାକୁ ଚିନ୍ତି ମାନସେ

ଏକାକୀ ଶୟନ ମୁଁ କଲି ବିରସେ ।

ସ୍ୱପନେ ଦେଖୁଥିଲି ସଖୀକୁ ଯେବେ

ସଧୀରେ ଆସି ପଦ ପରଶେ ତେବେ ।

ଚକିତେ ଚମକି ମୁଁ ଉଠିଲି ଖରେ

ଦେଖିଲି ପ୍ରିୟା ଉଭା ମୋର ପାଶରେ ।

ବସାଇ ଦେଲି କୋଳେ ଚିବୁକ ଧରି,

ମଣିଲି ରଙ୍କ ରତ୍ନ ଲଭିଲା ପରି ।୨।

 

ଆଷାଢ଼ ମାସେ ନବଘନ ଉଦୟେ,

ଅଜଣା ପୁଲକ ମୋ ହେଲା ହୃଦୟେ ।

ମେଘ କୋଳେ ଚପଳା ସୁଷମା ଦେଖି,

ମାନସ ପଟଳେ ସେ ଛବି ମୁଁ ଲେଖି ।

ପ୍ରିୟାକୁ କେତେ ମୃଦୁବାଣୀ କହିଲି,

ପଟୁ ଚାଟୁ ବଚନେ ମନ ମୋହିଲି ।

ଗଭାରେ ମଲ୍ଲୀମାଳ ତା’ର ସଜାଇ,

ଆଲିଙ୍ଗନେ ଚୁମ୍ବନେ ମନ ମଜାଇ ।

ଚନ୍ଦ୍ରମୁଖୀକୁ କଲି ଚନ୍ଦ୍ର ଚାଳନ ।

ଟଳାଇ ମାନନ ଭୁଳାଇଲି ତା’ ମନ ।

ବହୁ ଯତନେ ପ୍ରିୟା ରାଜି ହୋଇଲା,

ବିପରୀତେ ମୋହର ମନ ମୋହିଲା ।

ଲାଜେ ନୟନ ଦୁଇ ମୁଦିଲା ତା’ର

‘‘ନାହିଁ’’ ‘‘ନାହିଁ’’ ଉଚ୍ଚାରି ବାରକୁ ବାର ।

ସେକାଳ ସୁଷମାର ଉପମା ନାହିଁ ।

ଅସୀମ ତପୋବଳେ ସେ ସୁଖ ପାଇ ।

ଦୋହଲିବାର ତା’ର କୋମଳ ତନୁ,

ଆହା ସେ ମଧୁ ଛବି ନ ଯିବ ମନୁଁ ।୩।

 

ଶ୍ରାବଣେ ଘନ ଘନ ବରଷା ଧାରା

ନବ ଜୀବନ ଆଣେ ଜଗତତ ସାରା ।

କଳା ବଉଦ ମାଳ ବିହରେ ନଭେ,

ସେ ଦୃଶ୍ୟ ଦେଖି ପ୍ରିୟା ହରଷ ଲଭେ ।

ଦିନେ ସେ ଏକାକିନୀ ପ୍ରଦୋଷ କାଳେ,

ବିଲୋକୁ ଥିଲା ସେହି ଜଳଦମାଳେ ।

ବକମାଳ ଶବଦ କରି ସଘନ,

ବାହୁଡ଼ୁଥିଲେ ନିଜ ନୀଡ଼େ ବହନ ।

ଦୁଇ ଊରୁରେ ଦୁଇ ଭୁଜକୁ ରଖି

ମୁଗ୍‌ଧ ନୟନେ ଦେଖୁଥିଲା ମୋ ସଖୀ !

ମୀନ ନୟନା ପୀନ ଉରଜ ଦ୍ୱୟ

ଦର୍ଶନେ ମନ ମୋର ହେଲା ଅଥୟ ।

ତା’ ଘନଜଘନ ମୋ ଧୈର୍ଯ୍ୟ ନାଶିଲା,

ଅଜଣା ପୁଲକ ମୋ ଦେହେ ଆସିଲା ।

ପ୍ରିୟା ରୋଷ ବଚନେ ନ ଦେଇ ମନ

ସୁରତରସେ ମାତିଥିଲି ବହନ ।

ମାନସେ ଭାସିଯାଏ ଯେବେ ସେ ଛବି;

ବିନା ମେଘେ ମୋ ଶିରେ ପଡ଼ଇ ପବି ।୪।

 

ଚଇତ୍ର ମାସେ ଥରେ ମୋ ଜୀବଧନ,

ଅଯାଚିତ ସେନେହେ ମୋହିଲା ମନ ।

ଘାରିଲା ଅଙ୍ଗ ଅବା ଅନଙ୍ଗ ତା’ର

ଗଣ୍ଡେ ମୋ ଚୁମ୍ବ ଦେଲା ବାରକୁ ବାର ।

ଅକୁହା ଶିହରଣେ ପୂରିଲା ଅଙ୍ଗ,

ତୁରିତ ନିଦ୍ରା ମୋର ହୋଇଲା ଭଙ୍ଗ ।

ନିଦ୍ରାଗତ ବୋଲି ମୁଁ କଲି ଛଳନା

ନ ଜାଣିଲା ମୋ ଛନ୍ଦ ଶାନ୍ତଲଳନା ।

ବକ୍ଷେ ମୋ ବକ୍ଷ ତାର ସରାଗେ ରଖି

ଶୟନ କଲା ଭୋଳେ ମୋ ପ୍ରିୟ ସଖୀ ।

ଛନ୍ଦିଲା ଭୁଜ ମୋର ଗଳାରେ ନେଇ

ଅକୁହା ପୁଲକ ମୋ ଶରୀରେ ଦେଇ ।

ଥାପିଲା କର ମୋର ବକ୍ଷରେ ଯହୁଁ

ଧଇର୍ଯ୍ୟ ବନ୍ଧ ମୋର ଭାଜିଲା ତହୁଁ ।

ମାତିଲି ରତିରସେ ହରଷ ମନେ

ଲାଜେ ସଢ଼ିଲା ମୋର ସଜନି କ୍ଷଣେ ।

ପୁଚ୍ଛନ୍ତେ ସହି ! ଏ କି ତୋ ରୀତି ଆଜ,

କଳନା ନ ହେଲା ମୋ ଲଳନା-ଲାଜ ।୫।

 

ବରଷକର ଦୀର୍ଘ ବିରହ ପରେ,

ଭେଟିଲି ସଜନିକୁ ଯେବେ ମୋ ଘରେ ।

ପ୍ରଣୟ-ପାଗଳିନୀ ମୋହର ବିନା,

ତୁଟିଛି ତନୁକାନ୍ତି ବିଷାଦଲୀନା ।

ନ ଫୁଟେ ମୁଖେ ତା’ର ହରଷ ଆଉ,

ସହି ନ ପାରି ଗୁରୁ ବିରହ-ଦାଉ ।

ଶୁଖିଛି ସଜ ସରସିଜ ବଦନ

ଶୂନ୍ୟ ମଣିଛି ତା’ର ପିତୃ-ସଦନ ।

ତୁଟିଛି କଳେବର ସୁଷମା-ରଙ୍ଗ,

ମୋର ପ୍ରଣୟ ବିନା କୃଶ ତା ଅଙ୍ଗ ।

କ୍ଷୀଣ ତା’ କଣ୍ଠସ୍ୱର ଦୁର୍ବଳ ତନୁ,

ଦଇବ ହରିଛି ତା’ ହରଷ ମନୁଁ ।

ଦେଖି ସହସା ମୁଁ ଯେ ଉଠିଲି ଥରି,

ବସାଇଲି ମୋ ପାଶେ ଭୁଜକୁ ଧରି ।

ବୁହାଇ ଝର ଝର ନୀର ନୟନୁଁ,

ପୁଚ୍ଛିଲା, ‘‘କୁହ କେହ୍ନେ ଭୁଲିଲ ମନୁଁ ।

ଜନନୀ ମୋର ସିନା କରିଲା ଦୋଷ,

ମୋ ପ୍ରତି କିଆଁ ତୁମେ ବହିଲ ରୋଷ’’ ।୬।

 

ବିରହ ଶାପ ମୋର ମୋଚନ ପରେ,

ପ୍ରିୟା ମଣ୍ଡନ କଲା ସଦନ ଖରେ ।

ମଧୁର ମିଳନରେ ବିତିଲା ଦିନ,

ପ୍ରିୟା ପ୍ରଣୟେ ସଦା ହେଲି ମୁଁ ଲୀନ ।

ଦୁଇ ବରଷ ଗଲା ଏସନ ବିତି,

ସଜନି ମେଳେ ନିଶି ପୁହାଏ ନିତି ।

ଉଚ୍ଚଶିକ୍ଷାରେ ମୋର ବଳିଲା ମନ,

ପୁଣି ପ୍ରବାସୀ ମୁହିଁ ହେବି ବହନ ।

ଶୁଣି ବିଷାଦେ ପ୍ରିୟା କହିଲା ହେଜି,

ଏ ଯୁବାକାଳେ ମୋତେ ଯାଉଛ ତେଜି ।

କିପରି ବଞ୍ଚିବି ମୁଁ ରଜନୀ ଘୋର,

ପୁଣି ପଡ଼ିଲା ଦୁଃଖ କରମେ ମୋର ।

କାହା ପଦେ ମୋ ପଦ ଥାପି ସରାଗେ,

ଶୟନ କରିବି ମୁଁ କୁହ ମୋ ଆଗେ ।

ଏତେ ନିଷ୍ଠୁର କିଆଁ ହେଲ ମୋ ପ୍ରତି,

ପରବାସୀ ହେବାକୁ ବଳିଲା ମତି ।

ଝର ଝର ଝରାଇ ନୀର ନୟନୁଁ,

ବିଦାୟ ଦେଲା ପ୍ରିୟା-ନ ଯାଏ ମନୁଁ ।୭।

 

ସପତ ସ୍ମୁରୁତି ମୋ ମାନସେ ଆସି,

ଚଳଚିତ୍ର ସମାନ ଯାଏ ଗୋ ଭାସି ।

ନ ପାରିବି ପାଶୋରି କେବେ ତା ମନୁଁ,

ଥିବାଯାଏ ଜଗତେ ଏ ମର ତନୁ ।

ସୁଖ ଦୁଃଖ ଭରା ଏ ଜଗତ ସିନା,

ସୁଖ ନ ପଡ଼େ ଜଣା କଷଣ ବିନା ।

ଅନ୍ଧାର ପରେ ଯଥା ଆଲୋକ ଆସେ,

ମିଳନ ବିରହର କଷଣ ନାଶେ ।

କ୍ଷଣେ ଦୁଃଖ ମୋ ଚିତ୍ତ ଘାରଇ ଯେବେ,

ଆଶା ଆଲୋକ ପୁଣି ଦିଶଇ ତେବେ ।

ଆଶା-ନିରାଶା ମଧ୍ୟେ କରେ ମୁଁ ଗତି,

ଆଶ୍ରୟ ଏକା ପ୍ରଭୁ ଜଗତପତି ।

ପିତାମହ ମୋ ବାଲ୍ୟଗୁରୁ ମୋହର,

ଧ୍ୟାୟି ଭକତିଭରେ ତାଙ୍କ ପୟର ।

ରଚନା କରେ କାବ୍ୟ କବିତା ଚୟ,

ତାଙ୍କ ହେତୁ କବିତ୍ୱ ମୋର ଉଦୟ ।୮।

Image